୧ କୋଟିରୁ ଊର୍ଦ୍ଧ୍ୱ ପେନ୍ସନ୍ ଟଙ୍କା ହଡ଼ପ, ବ୍ୟାଙ୍କ୍ ବିଜ୍ନେସ୍ କରେସ୍ପଣ୍ଡେଣ୍ଟ୍ ଗିରଫ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ୨ମୃତବ୍ୟକ୍ତିଙ୍କ ନାମରେ ୧ କୋଟିରୁ ଊର୍ଦ୍ଧ୍ୱ ପେନ୍ସନ୍ ଟଙ୍କା ହଡ଼ପ କରିବା ଅଭିଯୋଗରେ ଜଣେ ବ୍ୟାଙ୍କ୍ ବିଜ୍ନେସ୍ କରେସ୍ପଣ୍ଡେଣ୍ଟ୍ ଗିରଫ ହୋଇଛନ୍ତି । ଅଭିଯୁକ୍ତ ଜଣକ ହେଲେ ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ମାଧିପୁର ଅଞ୍ଚଳର ପ୍ରଭାତ କୁମାର ଦାସ (୩୨)। ପ୍ରଭାତ ରେମୁଣାସ୍ଥିତ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖାର ବିଜ୍ନେସ୍ କରେସ୍ପଣ୍ଡେଣ୍ଟ ଭାବେ କାର୍ଯ୍ୟ କରୁଥିଲେ । ସେ ପେନ୍ସନ୍ଧାରୀଙ୍କ ଖାତାକୁ ଟଙ୍କା ପଠାଇବା ଦାୟିତ୍ୱରେ ଥିଲେ । ସାବିତ୍ରୀ ବେହେରା ନାମକ ଜଣେ ପେନ୍ସନଧାରୀଙ୍କର ୨୦୧୪ ମାର୍ଚ୍ଚ ୨୨ରେ ଓ ଅନ୍ୟଜଣେ ପେନ୍ସନଧାରୀ ପର୍ଶୁରାମ ଗିରିଙ୍କ ଡିସେମ୍ବର ୨୭ରେ ମୃତ୍ୟୁ ଘଟିଥିଲା । କିନ୍ତୁ ପ୍ରଭାତ ନିୟମ ଉଲ୍ଲଂଘନ କରି ୨୦୧୮ ନଭେମ୍ବର ୩୦ ମଧ୍ୟରେ ଉଭୟ ପେନ୍ସନ୍ଧାରୀଙ୍କ ଆକାଉଣ୍ଟକୁ ୧ କୋଟି ୩୨ ଲକ୍ଷ ଟଙ୍କା ପଠାଇଥିଲେ । ପର୍ଶୁରାମଙ୍କ ନାମରେ ୬୫ ଲକ୍ଷ ଏବଂ ସାବିତ୍ରୀଙ୍କ ନାମରେ ୬୭ ଲକ୍ଷ ଟଙ୍କାକୁ ପ୍ରଭାତ ହଡ଼ପ କରିଥିଲେ । ଏ ସମ୍ପର୍କରେ ଜାଣିବା ପରେ ବ୍ୟାଙ୍କ୍ ଶାଖା ପରିଚାଳକ ଗତ ୧୨ ତାରିଖରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ରେ ଅଭିଯୋଗ କରିଥିଲେ । ଶୁକ୍ରବାର ଅଭିଯୁକ୍ତ ପ୍ରଭାତଙ୍କୁ ରେମୁଣା ଅଞ୍ଚଳରୁ ଗିରଫ କରାଯାଇ ପଚରାଉଚରା କରାଯିବା ପରେ ଶନିବାର ବାଲେଶ୍ୱର ଏସ୍ଡିଜେଏମ କୋର୍ଟକୁ ପଠାଇ ଦିଆଯାଇଥିଲା ।