ରାଜ୍ୟରେ ସୂର୍ଯ୍ୟଙ୍କ କୋପ : ୪୪.୨ ଛୁଇଁଲା ପାରା

ଭୁବନେଶ୍ବର : ରାଜ୍ୟରେ ବଢିଛି ଗ୍ରୀଷ୍ମପ୍ରବାହ। ସୂର୍ଯ୍ୟଙ୍କ ଚଳନ ପରିବର୍ତ୍ତନ ଯୋଗୁଁ ପ୍ରଚଣ୍ଡ ରୌଦ୍ରତାପ ସିଝାଉଛି। ଏହିକ୍ରମରେ ଗୁରୁବାର ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଛି ପଶ୍ଚିମ ଓଡ଼ିଶାର ନଦୀକୂଳ ସହର ସୁବର୍ଣ୍ଣପୁର। ଏଠାରେ ସର୍ବାଧିକ ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ ହୋଇଛି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଗତ କିଛି ଦିନ ହେଲା ଗ୍ରୀଷ୍ମ ଲହରୀ ଜନଜୀବନ ଅସ୍ତବ୍ୟସ୍ତ କରି ପକାଇଛି।
ଗୁରୁବାର ଉତ୍ତର ଓଡ଼ିଶା ସମେତ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ବଢିଛି। ୧୬ ସହରରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଗତକାଲି ଝାରସୁଗୁଡାରେ ପାରଦ ୪୪ ଡିଗ୍ରୀ ଉପରେ ଥିବାବେଳେ ଆଜି ସୁବର୍ଣ୍ଣପୁରରେ ସର୍ବାଧିକ ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ ହୋଇଛି। ଯାହାକି ଦେଶ ତଥା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ସୁବର୍ଣ୍ଣପୁର ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି। ଫଳସ୍ବରୂପ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲା ଗୁଡିକ ମଧ୍ୟ ଅଧିକ ତାତିବ। ବିଶେଷକରି ଏବେ ବଲାଙ୍ଗୀର, ବୌଦ୍ଧ, ଝାରସୁଗୁଡା ଓ ବାରିପଦାରେ ତାପମାତ୍ରା ଅଧିକ ରହୁଛି।
ଆଗାମୀ ୨୪ ଘଣ୍ଟାରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡା, କୋରାପୁଟ ଏବଂ ମାଲକାନଗିରି ଜିଲାର ଗୋଟିଏରୁ ଦୁଇଟି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରୁ ବଜ୍ରପାତ ସହ ଝଡବର୍ଷା ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡିକୁ ପାଣିପାଗ ବିଭାଗ ହଳଦିଆ ସତର୍କ ସୂଚନା ଜାରି କରିଛି। ନବରଙ୍ଗପୁର, କଳାହାଣ୍ଡି, ଅନୁଗୋଳ ଏବଂ କେନ୍ଦୁଝରର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ।
ଗୁରବାର ବାଲେଶ୍ବର ୪୦, ଅନୁଗୋଳ ୪୧.୭, ବାରିପଦା ୪୨.୫, ଝାରସୁଗୁଡା ୪୨.୨, ସମ୍ବଲପୁର ୪୦.୮, ସୁନ୍ଦରଗଡ ୪୧.୫, ତାଳଚେର ୪୧.୮, ଭବାନୀପାଟଣା ୪୦.୫, ବଲାଙ୍ଗୀର ୪୨.୮, ଟିଟିଲାଗଡ ୪୧.୫, ମାଲକାନଗିରି ୪୦, ନୟାଗଡ ୪୦.୫, ବୌଦ୍ଧ ୪୨, ଛାତ୍ରପୁର ୪୦, ପାରଳାଖେମୁଣ୍ଡି ୪୧, ଭୁବନେଶ୍ବର ୩୭.୭ ଏବଂ କଟକରେ ୩୮.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ପାଣିପାଗ କେନ୍ଦ୍ରର ଆକଳନ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ; କିନ୍ତୁ କେତେକ ସ୍ଥାନରେ ପାରଦ ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିପାରେ।