ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତିକୁ ଗୁରୁତ୍ୱ – ମୁଖ୍ୟ ନିର୍ବାଚନ ଅଧିକାରୀ

0

ଭୁବନେଶ୍ୱର : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଆଜି ରାଜ୍ୟର ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ନିର୍ଭୁଲ ଭୋଟର ତାଲିକା ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଥିଲେ । କ୍ଷେତ୍ର ପରିଦର୍ଶନ କରି ବିଶେଷ କରି ଫଟୋ ସାଦୃଶ୍ୟ ଥିବା ଏକାଧିକ ଭୋଟର କିମ୍ବା ଦୋହରା ଭାବେ ଭୋଟର ତାଲିକାରେ ନାମ ଦରଜ ହେବା ପରି ଜଣାପଡ଼ୁଥିବା ଭୋଟରଙ୍କୁ ସଠିକ୍ ଭାବେ ଯାଞ୍ଚ ସହ ଏକାଧିକ ନାମଗୁଡ଼ିକୁ ତାଲିକାରୁ ବାଦ୍ ଦେବା ଏବଂ ଭୋଟର ତାଲିକାରେ ନାମ ଥାଇ ଫଟୋ ନଥିବା କିମ୍ବା ଭୋଟର ତାଲିକାରେ ନାମ, ଠିକଣା ଇତ୍ୟାଦି ତ୍ରୁଟି ଥିଲେ କିମ୍ବା ଦୋହରା ଫଟୋ ପରିଚୟ ପତ୍ର ଥିବା ଭୋଟରଙ୍କୁ ସଠିକ୍ ଭାବେ ଯାଞ୍ଚ କରି ସେମାନଙ୍କୁ ଭୋଟର ତାଲିକାରୁ ବାଦ୍ ଦେଇ ସଠିକ୍ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଗୁରୁତ୍ୱାରୋପ କରିଥିଲେ ।

ଭାରତ ନିର୍ବାଚନ ଆୟୋଗ ପ୍ରଥମ ଥର ପାଇଁ ସମସ୍ତ ଭୋଟରଙ୍କୁ ଫଟୋ ପରିଚୟ ଡାକ ମାଧ୍ୟମରେ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥି ନିମନ୍ତେ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କଲାବେଳେ ଫର୍ମ ନଂ-୬ରେ ତାଲିକାରେ ନାମ ଯୋଗ ଓ ଫର୍ମ ନଂ-୮ରେ ତ୍ରୁଟି ସଂଶୋଧନ ପାଇଁ ଫର୍ମ ପୂରଣ କଲାବେଳେ ନାଗରିକମାନେ ଆବେଦନ ଫର୍ମରେ ସମ୍ପୂର୍ଣ୍ଣ ଡାକ ଠିକଣା ଓ ସଠିକ୍ ମୋବାଇଲ୍ ନମ୍ବର ଦେବାକୁ ହେବ । ନଚେତ୍ ଭୋଟରଙ୍କ ଘରେ ଡାକ ଯୋଗେ ଫଟୋ ପରିଚୟ ପତ୍ର ପହଞ୍ôଚବା ସମ୍ଭବ ହେବ ନାହିଁ । ଆଗାମୀ ଦୁଇ ସପ୍ତାହ ମଧ୍ୟରେ ବୁଥ୍ସ୍ତରୀୟ ଅଧିକାରୀ ନିଜ ନିଜ ଅଞ୍ଚଳରେ ଘରକୁ ଘର ଯାଇ ସଠିକ୍ ତଥ୍ୟ ସଂଗ୍ରହ କରି ନିର୍ବାଚକ ପଞ୍ଜୀକରଣ ଅଧିକାରୀଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରିବେ । ପରେ ନିର୍ବାଚକ ପଞ୍ଜୀକରଣ ଅଧିକାରୀମାନେ ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।
ବର୍ତ୍ତମାନ ସୁଦ୍ଧା ପ୍ରସ୍ତୁତ ହୋଇଥିବା ଫଟୋ ପରିଚୟ ପତ୍ରଗୁଡ଼ିକୁ ମଇ ମାସ ୧୫ ତାରିଖ ସୁଦ୍ଧା ଡାକ ମାଧ୍ୟମରେ ଭୋଟରଙ୍କ ଘରେ ପହଞ୍ଚାଇବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ନିର୍ଦ୍ଦେଶ ଦେଇଛନ୍ତି ।

Leave a comment