ସରକାରୀ ବାବୁଙ୍କ ସମ୍ପତ୍ତି ତାଲିକା ଦାଖଲ ସମୟସୀମା ଘୁଞ୍ଚିଲା
ଭୁବନେଶ୍ୱର : ରାଜ୍ୟ ସରକାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ସମ୍ପତ୍ତି ତାଲିକା ଦାଖଲ ବାଧ୍ୟତାମୂଳକ କରିଛନ୍ତି । ହେଲେ କିଛି ବିଭାଗୀୟ ବାବୁ ନିଜର ସମ୍ପତ୍ତି ତାଲିକା ଦାଖଲ କରିବାରେ ଅବହେଳା କରୁଥିବା ଦେଖିବାକୁ ମିଳୁଛି । ଏପରିସ୍ଥଳେ ବର୍ଷ ୨୦୨୧ ପାଇଁ ସମ୍ପତ୍ତି ତାଲିକା ଦାଖଲ ଅବଧିକୁ ପୁଣିଥରେ ଏପ୍ରିଲ ଶେଷ ପର୍ଯ୍ୟନ୍ତ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ନିୟମ ମୁତାବକ ୨୦୨୧ ଜାନୁଆରୀ ୧ ତାରିଖରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଅବଧି ପାଇଁ ସମ୍ପତ୍ତି ତାଲିକା ଦାଖଲର ଶେଷ ତାରିଖ ଥିଲା ଡିସେମ୍ବର ୩୧ । ପରେ ଏହାକୁ ଗତ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଏବେ ପୁଣିଥରେ ଏହାକୁ ଏପ୍ରିଲ ୩୦ ଯାଏ ବୃଦ୍ଧି କରାଯାଇଛି । ଏନେଇ ଗତ ୨ ତାରିଖରେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ସବୁ ବିଭାଗ, ସମସ୍ତ ଆରଡିସି ଓ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଦିଆଯାଇଛି ।
ପଞ୍ଚାୟତ ଓ ପୌର ନିର୍ବାଚନ କାର୍ଯ୍ୟ ସକାଶେ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ବ୍ୟସ୍ତ ରହିବାରୁ ସମ୍ପତ୍ତି ତାଲିକା ଦାଖଲରେ ବିଳମ୍ବ ହୋଇଥିବା ଏହି ଚିଠିରେ କୁହାଯାଇଛି । ଏଣୁ ସେମାନଙ୍କ ସୁବିଧା ପାଇଁ ଅବଧିକୁ ଆଉ ମାସେ ପର୍ଯ୍ୟନ୍ତ ବଢ଼ାଯାଇଛି । ଏଣୁ ଆସନ୍ତା ୩୦ ପୂର୍ବରୁ ସମସ୍ତେ ଏଚ୍ଆରଏମ୍ଏସ୍ ପୋର୍ଟାଲରେ ନିଜର ସମ୍ପତ୍ତି ବିବରଣୀ ଦାଖଲ କରିବେ । ପରେ ରାଜ୍ୟ ସରକାର ଏହାକୁ ସାର୍ବଜନୀନ କରିବା ସହ ଲୋକାୟୁକ୍ତଙ୍କୁ ମଧ୍ୟ ଏକ ନକଲ ପ୍ରଦାନ କରିବେ ।