ପିଲାଙ୍କ ମଧ୍ୟାହ୍ନ ଭୋଜନରେ ପ୍ଲାଷ୍ଟିକ୍ ଚାଉଳ!

ଭବାନୀପାଟଣା : ମଧ୍ୟାହ୍ନ ଭୋଜନ ଆଳରେ ପିଲାଙ୍କୁ ଦିଆଯାଉଛି ପ୍ଲାଷ୍ଟିକ୍ ଚାଉଳ । କଳାହାଣ୍ଡି ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଡୁମରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏଭଳି ସଙ୍ଗିନ୍ ଅଭିଯୋଗ । କୋଭିଡ୍ ମହାମାରୀ ପାଇଁ ସମସ୍ତ ସ୍କୁଲ ବନ୍ଦ ହେବାରୁ ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ପୁଷ୍ଟିକର ଶୁଖିଲା ଖାଦ୍ୟ ଯୋଗାଇ ଦେବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ। ପିଲାଙ୍କୁ ଯୋଗାଇ ଦିଆଯାଉଥିବା ଶୁଖିଲା ଖାଦ୍ୟ ବା ଚାଉଳ ନିମ୍ନମାନର ହେବା ସହ ପ୍ଲାଷ୍ଟିକ ଚାଉଳ ଯୋଗାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୭୦ ପିଲାଙ୍କ ପାଇଁ ୧୪ କ୍ୱିଣ୍ଟାଲ ଚାଉଳ ଯୋଗାଣ ହୋଇଥିବା ବେଳେ ଅଭିଭାବକ ମଧ୍ୟ ବେଶ୍ ଖୁସିରେ ଚାଉଳ ନେଇ ପିଲାଙ୍କ ପାଇଁ ରୋଷେଇ କରିଥିଲେ । ମାତ୍ର ରୋଷେଇ ବେଳକୁ ସେମାନେ ଜାଣିବାକୁ ପାଇଲେ ଯେ ସେଥିରେ କିଛି ମାତ୍ରାରେ ପ୍ଲାଷ୍ଟିକ ଚାଉଳ ମିଶିଛି । ୧୦୦ ଗ୍ରାମ ଚାଉଳରେ ପାଖାପାଖି ୩୦ ଭାଗ ଚାଉଳ ପ୍ଲାଷ୍ଟିକ ପରି ଦେଖା ଯାଉଥିଲା । ସାଧାରଣ ଚାଉଳଠାରୁ ଏହା ଦେଖିବାକୁ ପୂରା ଭିନ୍ନ । ଚାଉଳରେ ଏଭଳି ମିଶ୍ରଣ ଦେଖି ଅଭିଭାବକ ସ୍କୁଲ ଶିକ୍ଷକଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଶିକ୍ଷକ ସମସ୍ତ ବଣ୍ଟନ ଚାଉଳ ଫେରାଇ ଦେବାପାଇଁ କହିଥିଲେ । ତେବେ ଏନେଇ ଶିକ୍ଷକଙ୍କୁ ପଚାରିବାରୁ ଜିଲ୍ଲା ଶିକ୍ଷା ବିଭାଗ ଚାଉଳ ପଠାଇବାରୁ ଆମେ ବଣ୍ଟନ କରୁଛୁ ଏବଂ ଅପମିଶ୍ରିତ ଚାଉଳ ସମ୍ପର୍କରେ କିଛି ଜଣାନଥିବା କହିଛନ୍ତି ।
ପ୍ରତ୍ୟେକ ମାସରେ ଓଜନ ଠାରୁ ବହୁ କମ୍ ଚାଉଳ ସ୍କୁଲକୁ ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଅପମିଶ୍ରିତ ଚାଉଳକୁ ଅସ୍ୱୀକାର କରିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ । ଏହି ମିଶ୍ରିତ ଚାଉଳର ସତ୍ୟତା ନେଇ ଏବେ ପ୍ରଶ୍ନଉଠିଛି । କାହାର ଲାଭଖୋର ମନୋବୃତ୍ତି ପାଇଁ ପିଲାଙ୍କ ଜୀବନ ସହ ଖେଳୁଛି ଶିକ୍ଷା ବିଭାଗ? ପିଲାଙ୍କୁ ଭିଟାମିନ ଯୁକ୍ତ ଖାଦ୍ୟ ଯୋଗାଇଦେବା ଏକ ବାହାନା ନା ଅପମିଶ୍ରିତ ଚାଉଳ ବାଣ୍ଟୁଛି ବିଭାଗ? ଏହାର ତଦନ୍ତ ଜରୁରୀ ବୋଲି ଅଭିଭାବକମାନେ ମତ ରଖିଛନ୍ତି ।