ଭିଜିଲାନ୍ସ ଜାଲରେ ବିଏମ୍ସି ସ୍ବାସ୍ଥ୍ୟ ସୁପରଭାଇଜର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହଜାରେ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ହେଲ୍ଥ ସୁପରଭାଇଜର ମନୋରଞ୍ଜନ ଦାସ । ମନୋରଞ୍ଜନ ବୁଧବାର ଏହି ଲାଞ୍ଚ ଗୋଠପାଟଣା ଅଞ୍ଚଳର କୁଳମଣି ମେହେର ନାମକ ଜଣେ ବ୍ୟକ୍ତିଙ୍କଠାରୁ ଗ୍ରହଣ କରୁଥିଲେ । କୁଳମଣିଙ୍କ ଝିଅର ଜନ୍ମ ପ୍ରମାଣପତ୍ର ଦେବା ନିମନ୍ତେ ସେ ତାଙ୍କଠାରୁ ଏହି ଲାଞ୍ଚ ଦାବି କରିଥିଲେ । ବୁଧବାର ବିଏମ୍ସି ଅଫିସରେ ମେହେରଙ୍କଠାରୁ ଏହି ଲାଞ୍ଚ ଟଙ୍କା ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନର ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ । ଏହା ପରେ ତାଙ୍କ ସତ୍ୟନଗରସ୍ଥିତ ଆବାସିକ ଘରକୁ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ କରାଯାଇଥିଲା । ଏ ନେଇ ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହେବା ସହ ମନୋରଞ୍ଜନଙ୍କୁ ଗିରଫ କରାଯାଇଛି ।