ଋଷିକୂଲ୍ୟା ମୁହାଣ କଇଁଛଙ୍କ ଅଣ୍ଡାଦାନରେ ରେକର୍ଡ କଲା

ବ୍ରହ୍ମପୁର: ଗଣଅଣ୍ଡାଦାନରେ ରେକର୍ଡ କଲା ଋଷିକୂଲ୍ୟା ମୁହାଣ । ଋଷିକୂଲ୍ୟା ମୁହାଣରେ ବିରଳ ପ୍ରଜାତିର ଅଲିଭ ରିଡ଼ଲେ କଇଁଛଙ୍କ ରେକର୍ଡ଼ ସଂଖ୍ୟକ ଗଣଅଣ୍ଡାଦାନ ହୋଇଛି । ଗତ ମାର୍ଚ୍ଚ 27 ତାରିଖରୁ ଋଷିକୂଲ୍ୟା ମୁହାଣରେ ଅଲିଭ ରିଡ଼ଲେ କଇଁଛଙ୍କ ଗଣଅଣ୍ଡାଦାନ ଆରମ୍ଭ ହୋଇଥିଲା ।
ପ୍ରଥମ ଦିନ ଅର୍ଥାତ୍ ମାର୍ଚ୍ଚ 27 ତାରିଖରେ 40 ହଜାର 533 କଇଁଛ ଅଣ୍ଡାଦାନ କରିଥିଲେ । ତେବେ ଗତକାଲି ସୁଦ୍ଧା 5 ଲକ୍ଷ 50 ହଜାରରୁ ଅଧିକ କଇଁଛ ଗଣଅଣ୍ଡାଦାନ କରିଛନ୍ତି । ପୂର୍ବରୁ 2017-18 ମସିହାରେ 4 ଲକ୍ଷ 82 ହଜାର କଇଁଛ ଅଣ୍ଡାଦାନ କରିଥିଲେ ଯାହାକି ରେକର୍ଡ଼ ହୋଇଥିଲା । ବର୍ତ୍ତମାନ ସେହି ରେକର୍ଡ଼କୁ ଭାଙ୍ଗି ଚଳିତ ବର୍ଷ କଇଁଛଙ୍କ ଗଣଅଣ୍ଡାଦାନ ଏକ ସର୍ବକାଳୀନ ରେକର୍ଡ଼ ହୋଇଛି । ଗତବର୍ଷ ବିଭିନ୍ନ କାରଣ ଯୋଗୁଁ କଇଁଛ ମାନେ ଗଣଅଣ୍ଡାଦାନ ନିମନ୍ତେ ଆସିନଥିବା ବେଳେ ଚଳିତ ବର୍ଷ ସର୍ବକାଳୀନ ରେକର୍ଡ଼ ହୋଇଛି । ଯାହାକି ବନବିଭାଗ, ସ୍ଥାନୀୟ ବାସିନ୍ଦା, ସ୍ବେଚ୍ଛାସେବୀ ଓ ପରିବେଶବିତ୍ ମାନଙ୍କୁ ଚକିତ କରିବା ସହିତ ଖୁସି ପ୍ରଦାନ କରିଛି ।