ଦୁବାଇରେ ଫସିଥିବା ଓଡିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ
ଭୁବନେଶ୍ବର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଦୂବାଇରେ ଫସିଥିବା ଓଡିଆ ଯୁବକ ଧୃବଚରଣ ମାର୍ଥଙ୍କୁ ଭାରତ ଫେରାଇ ଆଣିବାପାଇଁ ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଛନ୍ତି।
ସୂଚନାଯୋଗ୍ୟ, ନୟାଗଡ ଜିଲ୍ଲା ରାଜରଣପୁର ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମର ସରୋଜିନୀ ମାର୍ଥଙ୍କ ସ୍ବାମୀ ଧୃବଚରଣ ଗତ ୨୩ ଫେବୃୟାରୀ ୨୦୧୩ରୁ ଦୁବାଇର ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିଲେ। ଗତ ୦୬ ନଭେମ୍ବର ୨୦୨୧ରେ ସେ ସେଠାରୁ ଇସ୍ତଫା ଦେଇଦେଇଥିଲେ ମଧ୍ୟ କମ୍ପାନୀ କର୍ତ୍ତୁପକ୍ଷ ନାନା ହଇରାଣ ହରକତ କରିବାସହ ଧୃବଚରଣଙ୍କ ବକେୟା ଦେୟ ଓ ପାସପୋର୍ଟ ଫେରାଉନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହି ପରିସ୍ଥିତିରେ ପଇସାପତ୍ର ଅଭାବରୁ ଧୃବଚରଣ ବିନା ଖାଦ୍ୟପେୟରେ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ଉପାୟଶୂନ୍ୟ ହୋଇ ପରିବାର ଲୋକ ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କ ଜରିଆରେ ଶ୍ରୀଯୁକ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଳୋଡିଥିଲେ। ଅନୁରୋଧକ୍ରମେ ଶ୍ରୀଯୁକ୍ତ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଅବଗତ କରାଇବା ସହ ଏକ ପତ୍ର ଲେଖି ଧୃବଚନଣଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି।