ଖାଆନ୍ତୁ, ଚିକେନ୍ ସୱର୍ମା
ଆବଶ୍ୟକୀୟ ସାମଗ୍ରୀ : ରୁଟି ପାଇଁ- ମଇଦା-୨୦୦ ଗ୍ରାମ୍, ବେକିଂ ସୋଡା-ଅଧ ଚାମଚ, ବେକିଂ ପାଉଡର୍-୧ ଚାମଚ, ଲୁଣ-ଅଧ ଚାମଚ, ଚିନି-୧ ଚାମଚ, ତେଲ-୧ ଚାମଚ, ଦହି-୨ ଚାମଚ ।
ଭରେଇବା ପାଇଁ: ବୋନ୍ଲେସ୍ ଚିକେନ୍-୧୫୦ ଗ୍ରାମ୍, ଦହି-୪ ଚାମଚ, ଅଦା-ରସୁଣ ପେଷ୍ଟ୍-୨ ଚାମଚ, ଲେମ୍ବୁ ରସ-୧ ଚାମଚ, ଲାଲ୍ ଲଙ୍କା ପାଉଡର୍-୧ ଚାମଚ, ଗୋଲମରିଚ-୧ ଚାମଚ, ଜିରା ପାଉଡର୍- ୧ ଚାମଚ, ଲାଲ୍ ରଙ୍ଗ- ୧/୨ ଚାମଚ, ବନ୍ଧାକୋବି- ୧/୨ କପ୍, ହଳଦିଆ ଓ ସବୁଜ ରଙ୍ଗର କ୍ୟାପ୍ସିକମ୍-୧/୨କପ୍ ଲେଖାଏଁ, ତେଲ, ଟମାଟୋ କ୍ୟାଚ୍ଅପ୍-୨ ଚାମଚ, ମ୍ୟୋନିଜ୍-୪ ଚାମଚ।
ପ୍ରଣାଳୀ: ପ୍ରଥମେ ମଇଦାକୁ ଗୋଟିଏ ବଡ଼ ପାତ୍ରରେ ନେଇ ସେଥିରେ ବେକିଂ ପାଉଡର୍, ଲୁଣ, ଚିନି ଓ ତେଲ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ । ଏଥିରେ ଏବେ ଦହି ଢାଳି ପୁଣି ଦଳିବାକୁ ହେବ । ଦହି ମିଶାଇବା ପରେ ଅଳ୍ପ ଅଳ୍ପ ପାଣି ଢ଼ାଳି ମଇଦାକୁ ଦଳିବା ପରେ ଅଳ୍ପ ତେଲ ମିଶାନ୍ତୁ । ତେଲ ମିଶାଇ ୧୦ ମିନିଟ୍ ପାଇଁ ଦଳା ଯାଇଥିବା ମଇଦାକୁ ଗୋଟିଏ ପାଶ୍ୱର୍ରେ ରଖି ଦିଅନ୍ତୁ । ଏବେ ଚିକେନ୍କୁ ପତଳା ପତଳା କରି କାଟିବା ପରେ ଧୁଆଯିବ । ଏଥିରେ ଦହି, ଅଦା-ରସୁଣ ପେଷ୍ଟ, ଲେମ୍ବୁ ରସ, ଲାଲ୍ ଲଙ୍କା ପାଉଡର୍, ଗୋଲମରିଚ ଗୁଣ୍ଡ, ଜିରା ପାଉଡର୍ ଓ ଲୁଣ ଦେଇ ଭଲ ଭାବରେ ମିଶାଇ ଦିଅନ୍ତୁ। ଏବେ ଏଥିରେ ଲାଲ୍ ରଙ୍ଗ ମିଶାଇ ଗୋଳେଇ ଦିଅନ୍ତୁ । ଗ୍ୟାସ୍ ଉପରେ ଏକ ପ୍ୟାନ୍ ରଖି ତେଲ ଗରମ କରିବାକୁ ହେବ । ତେଲ ଗରମ ହୋଇଯିବା ପରେ ଚିକେନ୍କୁ ତେଲରେ ଢ଼ଳାଯିବ ଓ ମଧ୍ୟମ ଆଞ୍ଚରେ ସିଝାଇବାକୁ ହେବ । ଚିକେନ୍ରୁ ପାଣି ଶୁଖିଗଲେ ଏଥିରେ ବାକି ପରିବା ତକ ପକାଇ ଅଳ୍ପ ସମୟ ସିଝାନ୍ତୁ । ମଝିରେ ମଝିରେ ଚଲାନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଚିକେନ୍ ଫ୍ରାଏ । ଏବେ ମଇଦାକୁ ପୁଣି ଥରେ ଦଳି ଛୋଟ ଛୋଟ ଗୁଳା ପ୍ରସ୍ତୁତ କରନ୍ତୁ । ରୁଟି ପରି ଗୋଲାକାର ବେଲିବା ପରେ ଏହା ନଫୁଲିବା ପାଇଁ ଗୋଟିଏ ଫର୍କ ସାହାଯ୍ୟରେ ଛିଦ୍ର କରିବାକୁ ହେବ । ଗ୍ୟାସ୍ ଉପରେ ତାୱା ଗରମ କରିବା ପରେ ମଧ୍ୟମ ଆଞ୍ଚରେ ରୁଟି ସେକନ୍ତୁ । ଅଳ୍ପ ସମୟ ପରେ ପଲଟେଇ ଦେବାକୁ ହେବ । ରୁଟି ଏବେ ସେକି ହୋଇଗଲା । ରୁଟି ଉପରେ ଟମାଟୋ କ୍ୟାଚ୍ଅପ୍ ଓ ପରେ ମ୍ୟୋନିଜ୍ ଲଗାଇ ମିଶାଯିବ । ଏବେ ତା’ ଉପରେ ଚିକେନ୍ ଫ୍ରାଏ ରଖି ମ୍ୟୋନିଜ୍ ଢ଼ାଳନ୍ତୁ । ରୁଟିକୁ ଏବେ ରୋଲ୍ କରି ଟିସୁ ପେପର୍ ବା ଆଲୁମିନିୟମ୍ ଫଏଲ୍ରେ ପ୍ୟାକ୍ କରି ସସ୍ ବା ଚଟଣି ସହିତ ଖାଇବାକୁ ଦିଅନ୍ତୁ ।