ବଦଳିବେ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ, ଦେଖିବାକୁ ମିଳିବ ୬ ରୁ ୭ ନୂଆ ଚେହେରା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର କିଛି ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଏହି ନୂତନ ମନ୍ତ୍ରୀ ମଣ୍ଡଳରେ ୬ ରୁ ୭ ନୂଆ ଚେହେରା ଦେଖିବାକୁ ମିଳିବା ସହ ମହିଳାଙ୍କୁ ପ୍ରାଧାନ୍ୟ ଦିଆଯିବା ନେଇ ଆକଳନ ଚାଲିଛି । ଅନେକ ମନ୍ତ୍ରୀ ବିବାଦୀୟ ହେବାପରେ ବିରୋଧୀଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ ରହିଥିଲେ । ତେଣୁ ଅନେକ ଥର ମନ୍ତ୍ରୀ ମଣ୍ଡଳ ଅଦଳବଦଳ ନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଞ୍ଚାୟତ ଏବଂ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଏହାପ୍ରତି ଧ୍ୟାନ ଦେଇନଥିଲେ । ପଞ୍ଚାୟତ ନିର୍ବାଚନରେ ବିଜେଡି ବିରୋଧୀଙ୍କୁ ଚକମା ଦେବା ସହ ରେକର୍ଡ ବିଜୟ ହାସଲ କରିଛି । ସେହିପରି ପୌର ନିର୍ବାଚନରେ ମଧ୍ୟ ବିଜେଡି ଭଲ ପ୍ରଦର୍ଶନ କରି ତିନୋଟି ଯାକ ମହନଗରର ମେୟର ପଦ ହାତେଇବାରେ ସଫଳ ହୋଇଛି । ତଥାପି କିଛି ସ୍ଥାନରେ ଶାସକ ଦଳ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଛି ।

୨୦୨୪ ରେ ରାଜ୍ୟ ବିଧାନସଭା ସହିତ ଲୋକସଭା ନିର୍ବାଚନ ହେବାକୁ ଥିବାରୁ ଏବେଠାରୁ ବିଜେଡି ନିଜ ସଂଗଠନକୁ ଅଧିକ ସୁଦୃଢ଼ କରିବାକୁ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେବାକୁ ଚିନ୍ତା କରିବା ନେଇ ଆକଳନ କରାଯାଇପାରେ । କାରଣ ୨୦୧୯ ସଧାରଣ ନିର୍ବାଚନ ପୂର୍ବରୁ କେତେକ ମନ୍ତ୍ରୀଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳରୁ ଅବ୍ୟାହତି ଦେଇ ସାଂଗଠନିକ କାର୍ଯ୍ୟରେ ନିୟୋଜିତ କରିଥିଲେ । ସେହି ଢ଼ାଞ୍ଚାରେ କିଛି ମନ୍ତ୍ରୀଙ୍କୁ ଏଥର ବି ସାଂଗଠନିକ ଦାୟିତ୍ୱ ଦେଇ ସେମାନଙ୍କୁ ସରକାରୀ କାର୍ଯ୍ୟରୁ ବିଜେଡି ନିସ୍ତାର ଦେଇପାରେ । ବିଶେଷକରି ଯେଉଁ ମନ୍ତ୍ରୀମାନଙ୍କ ନିର୍ବାଚନ ମଣ୍ଡଳୀ, ଜିଲ୍ଲା ଓ ସେମାନେ ଦାୟିତ୍ୱରେ ଥିବା ଅଞ୍ଚଳରେ ବିଜେଡିର ପ୍ରଦର୍ଶନ କମ୍ ହୋଇଛି ।

ସେହିପରି ପ୍ରଶାସନିକ ସ୍ତରରେ ମଧ୍ୟ ବଡଧରଣର ଅଦଳବଦଳ ନେଇ ଚର୍ଚ୍ଚା ହେଇଛି । ଜଣେ ମହିଳା ଆଇଏଏସ ଦିଲ୍ଲୀରୁ ଆସିପାରନ୍ତି। ଏବଂ ତୃତୀୟ ମହଲାରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ମୁଖ୍ୟ ଦାୟିତ୍ବ ତୁଲାଇବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

ସୂଚନା ଅନୁଯାୟୀ, ପଞ୍ଚାୟତ ନିର୍ବାଚନ ପୂର୍ବରୁ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ନେଇ ଖୁବ ଚର୍ଚ୍ଚା ହେଉଥିଲା । ଏପରିକି କିଛି ମନ୍ତ୍ରୀ ଓ ନେତାଙ୍କ ନଥିବା ଏକ ଲିଷ୍ଟ ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିଲା । ଏହି ତାଲିକା କିଏ ଏବଂ କାହିଁକି ମାର୍କେଟ କୁ ଛାଡିଛି ତାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । କିଛି ରାଜନୈତିକ ବିଶେଷଜ୍ଞଙ୍କ ନିଜ ମତପ୍ରକାଶ କରି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୦ ବର୍ଷ ଶାସନ କାଳ ମଧ୍ୟରେ କିଏ ମନ୍ତ୍ରୀ ହେବ ଓ କିଏ ମନ୍ତ୍ରୀପଦରୁ ବିଦା ହେବ ଶେଷ ସମୟ ପର୍ଯ୍ୟନ୍ତ କାହାପାଖରେ ଖବର ନଥାଏ । ନବୀନ ନିରବତାର ସହ ନିଷ୍ପତ୍ତି ନିଅନ୍ତି ।ଅପରପକ୍ଷରେ ବୁଦ୍ଧିଜୀବୀମନେ ଏହାକୁ ତୃତୀୟ ମହଲର ଗୁଗୁଲ କହୁଥିବା ବେଳେ ଅନେକ ଏହାକୁ ଅସନ୍ତୁଷ୍ଟ ଗୋଷ୍ଠି ଙ୍କ ଚକ୍ରାନ୍ତ ବୋଲି କହିଥିଲେ । ତେଣୁ ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳ ବଦଳ ହେବା ଚର୍ଚ୍ଚା ହେବା ସମୟରେ ଏହି ତାଲିକା ସମସ୍ତଙ୍କୁ ଦ୍ୱନ୍ଦରେ ପକାଇଛିଥିଲା ।

ଅପରପକ୍ଷରେ ଗତ ଲୋକସଭା ନିର୍ବାଚନରେ ସମଗ୍ର ପଶ୍ଚିମ ଓଡ଼ିଶା ସମେତ ଉତର ଓଡ଼ିଶାର ମୟୂରଭଞ୍ଜ ଓ ବାଲେଶ୍ୱର ଏବଂ କେନ୍ଦ୍ରାଂଚଳର ଭୁବନେଶ୍ୱର ଲୋକସଭା ଆସନ ବିଜେପି ଦଖଲ କରିଥିବା ବେଳେ ରାୟଗଡା ଲୋକସଭା ଆସନ କଂଗ୍ରେସ ଖାତାକୁ ଯାଇଥିଲା । ଆଗାମୀ ସାଧାରଣ ନିର୍ବାଚନ ଦୁଇ ଜାତୀୟ ରାଜନୈତିକ ଦଳଙ୍କ ପାଇଁ ଏକ ବଡ ଆହ୍ୱାନ ହୋଇଥିବା ବେଳେ ସେମାନେ ୨୦୨୪ର ନିର୍ବାଚନ ପାଇଁ ରଣକୌଶଳ ନିର୍ଦ୍ଧାରଣ କରିବା ପୂର୍ବରୁ ବିଜେଡି ତାହାର ଆଗୁଆ ପ୍ରସ୍ତୁତି ପର୍ବ ଆରମ୍ଭ କରିଦେଇଥିବା ନେଇ ଚର୍ଚ୍ଚା ହେଉଛି ।

Leave a comment