ଆର୍‌ବିଆଇ ମଙ୍ଗ ଧରିଲେ ଶକ୍ତିକାନ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ଣ୍ଣର ଭାବେ ଦାୟିତ୍ଵ ତୁଲାଇବେ ଅବସର ପ୍ରାପ୍ତ ଓଡିଆ ଆଇଏଏସ୍‌ ଅଧିକାରୀ ଶକ୍ତିକାନ୍ତ ଦାସ । କେନ୍ଦ୍ର ସରକାର ପୂର୍ବତନ ବ୍ୟୁରୋକ୍ରାଟ୍‌ ଶକ୍ତିକାନ୍ତ ଦାସଙ୍କୁ ମଙ୍ଗଳବାର ରିଜର୍ଭ ବ୍ୟାଙ୍କର ୨୫ତମ ଗଭର୍ଣ୍ଣର ଭାବେ ନିଯୁକ୍ତ କରିଛନ୍ତି । ସେ ୩ ବର୍ଷ ପାଇଁ ଏହି ଦାୟିତ୍ୱରେ ରହିବେ । କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ଣ୍ଣର ହେବାରେ ସେ ପ୍ରଥମ ଓଡ଼ିଆ । ସେ ପୂର୍ବରୁ ଉଭୟ ତାମିଲନାଡୁ ଏବଂ ଭାରତ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୁର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଛନ୍ତି । ତାମିଲନାଡୁ ସରକାରଙ୍କ ଶିଳ୍ପ ବିଭାଗ ପ୍ରମୁଖ ସଚିବ, ରାଜସ୍ବ ସ୍ବତନ୍ତ୍ର କମିଶନର, ରାଜସ୍ବ ସଚିବ, ତାମିଲନାଡୁ ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସୋସାଇଟିର ପ୍ରକଳ୍ପ ନିର୍ଦ୍ଦେଶକ, ଦିଙ୍ଗିଗୁଲ ଏବଂ କାଞ୍ଚିପୁରମ ଜିଲ୍ଲାର ଜିଲ୍ଲାପାଳ ତଥା ଡିଏମ୍‌ ଭାବେ କାର୍ଯ୍ୟ କରିଛନ୍ତି । ସେହିଭଳି କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପାର ସଚିବ, କେନ୍ଦ୍ର ରାଜସ୍ବ ସଚିବ, ସାର ସଚିବ, ଅର୍ଥ ମନ୍ତ୍ରଣାଳୟ ଅଧିନସ୍ଥ ଅର୍ଥନୈତିକ ବ୍ୟାପାର ବିଭାଗର ସ୍ବତନ୍ତ୍ର ସଚିବ ଏବଂ ଏକ୍ସପେଣ୍ଡିଚର ବିଭାଗର ଯୁଗ୍ମ ସଚିବ ଭାବେ ମଧ୍ୟ ତାଙ୍କର କାର୍ଯ୍ୟ ଅଭିଜ୍ଞତା ରହିଛି । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ ତାଙ୍କୁ ପ୍ରଥମେ ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ ରାଜସ୍ବ ବିଭାଗରେ ଅବସ୍ଥାପିତ କରାଯାଇଥିଲା । ପରେ ସେ ଆର୍ଥିକ ବ୍ୟାପାର ବିଭାଗକୁ ସ୍ଥାନାନ୍ତର ହୋଇଥିଲେ । ଏହି ପଦରେ ରହି ସେ ପ୍ରଧାନମନ୍ତ୍ରୀଙ୍କ ବିମୁଦ୍ରୀକରଣ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଏହାକୁ ସମର୍ଥନ କରୁଥିବାରୁ ତାଙ୍କୁ ବିରୋଧର ସମ୍ମୁଖୀନ ମଧ୍ୟ ହେବାକୁ ପଡିଥିଲା । 

Leave a comment