ମାନସ ହତ୍ୟାର ଗୁମର: ରିମାଣ୍ଡରେ ଗଲେ ଶର୍ମିଷ୍ଠାଙ୍କ ସମେତ ୪ଜଣ

ଭଦ୍ରକ : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଗତକାଲି ଗିରଫ ହୋଇଥିବା ବେଳେ ଆଜି ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ ଟିମ୍ । ଶର୍ମିଷ୍ଠାଙ୍କ ସମେତ ୪ଜଣଙ୍କ ଆଜିଠୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ମାନସ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା, ସହଯୋଗୀ ଝୁନା ଭୋଇ, ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜୀନ ସେଠୀ ଓ ରାଜ୍ କମ୍ୟୁନିକେସନ୍ର ମାଲିକ ରଞ୍ଜନ ନାୟକଙ୍କର ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ୫ଦିନିଆ ରିମାଣ୍ଡ ।
ଏହି ୪ ଜଣଙ୍କୁ ଭଦ୍ରକ ମେଡିକାଲରେ ଟେଷ୍ଟ ପରେ କଟକସ୍ଥିତ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟ ଅଭିମୁଖେ ନିଆଯାଇଥିବା ଜଣାଯାଇଛି। କ୍ରାଇମବ୍ରାଞ୍ଚ ଡିଏସ୍ପି କଳ୍ପନା ସାହୁଙ୍କ ନେତୃତ୍ୱରେ ୨ଟି ଗାଡ଼ିରେ ଆଜି ସକାଳୁ ସେମାନଙ୍କୁ କଟକ ଅଭିମୁଖେ ନିଆଯାଇଛି। ସେଠାରେ ସେମାନଙ୍କୁ ପ୍ରଥମେ ଏକୁଟିଆ ଜେରା କରାଯିବ । ଆସନ୍ତା ୩ ତାରିଖ ଦିନ ଶେଷ ହେଉଛି ରିମାଣ୍ଡ ଅବଧି । ଏହାପରେ ମୁହାଁମୁହିଁ ଜେରା କରାଯାଇ ସତ ସାମାନାକୁ ଅଣାଯିବ ବୋଲି ସୂଚନା ମିଳିଛି। ।
ଗତକାଲି ଭଦ୍ରକ ସ୍ୱତନ୍ତ୍ର କାରାଗାରରେ ପ୍ରଥମ ରାତି କାଟିଛନ୍ତି ଶର୍ମିଷ୍ଠା । ଜେଲ୍ ମାନୁଆଲ ଅନୁସାରେ ସେ ରୁଟି ଡାଲମା ଖାଇଛନ୍ତି । ପ୍ରାୟ ଦେଢ଼ ମାସର ଲୁଚକାଳି ପରେ ଗତକାଲି ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । କୋଲକାତାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ଏକ ବସ୍ରୁ ଭଦ୍ରକର ନଳଙ୍ଗାଠାରେ ଉଭୟଙ୍କୁ ଧରିଥିଲା ଚାନ୍ଦବାଲି ପୋଲିସ୍ ଓ କ୍ରାଇମବ୍ରାଞ୍ଚ ଟିମ୍ । ଏହାପରେ ଗତକାଲି ଭଦ୍ରକ ସ୍ୱତନ୍ତ୍ର କାରାଗାରରେ ପ୍ରଥମ ରାତି କାଟିଥିବା ଶର୍ମିଷ୍ଠାଙ୍କୁ ଆଜି ସକାଳୁ ସକାଳୁ କଟକ ଅଭିମୁଖେ ନିଆଯାଇଛି।