ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁ, ସମ୍ ହସ୍ପିଟାଲ ଆଗରେ ଉତ୍ତେଜନା

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁକୁ ନେଇ ସମ୍ ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ରୋଗୀଙ୍କ ସମ୍ପର୍କୀୟମାନେ ଟଙ୍କା ଫେରସ୍ତ ଦାବିରେ ହସ୍ପିଟାଲ ଆଗରେ ଧାରଣାରେ ବସିଥିଲେ । ଖବରପାଇ ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ । ହସ୍ପିଟାଲ କର୍ତ୍ତୃପକ୍ଷ ୭୦ ହଜାର ଟଙ୍କା କ୍ଷତିପୂରଣ ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।
ମୃତକ ଜଣକ ହେଲେ ସାଲିଆସାହିର ଅନ୍ତର୍ଯ୍ୟାମୀ ସେଠୀ । ଅନ୍ତର୍ଯ୍ୟାମୀଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତ ନଭେମ୍ବର ୫ରେ ରାଜମିସ୍ତ୍ରି ଭାବେ ଏକ ମନ୍ଦିରରେ ଅନ୍ତର୍ଯାମୀ କାମ କରୁଥିଲାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସମ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମେଡିକାଲ କର୍ତ୍ତୃପକ୍ଷ ତାଙ୍କ ହାତ ଅସ୍ତ୍ରୋପଚାର କରାଯିବ ବୋଲି କହି ପରିବାର ଲୋକଙ୍କ ଠାରୁ ପ୍ରାୟ ୨ ଲକ୍ଷ ଟଙ୍କା ଫି ଆକାରରେ ନେଇଥିଲେ । ହେଲେ ସୋମବାର ରାତିରେ ଅନ୍ତର୍ଯାମୀଙ୍କ ସ୍ଥାସ୍ଥ୍ୟାବସ୍ଥା ଜଟିଳ ହୋଇଥିଲା । ସେ ଦୀର୍ଘ ସମୟ ଧରି ବାନ୍ତି କରିଥିଲେ । ପରିବାର ଲୋକେ ଡାକ୍ତରଙ୍କୁ ଫୋନ୍ କରିଥିଲେ ମଧ୍ୟ କୌଣସି ଡାକ୍ତର ଆସି ନ ଥିଲେ । ଶେଷରେ ଜଣେ କମ୍ପାଉଣ୍ଡର ରୋଗୀଙ୍କୁ ଦେଖି ତାଙ୍କ କିଡ୍ନୀ ଖରାପ ଥିବା କହିଥିଲେ । ଏହାପରେ ବିଳମ୍ବିତ ରାତିରେ ଅନ୍ତର୍ଯ୍ୟାମୀଙ୍କ ମୃତ୍ୟୁ ଘଟିଥିଲା । ତେଣୁ ଡାକ୍ତରଙ୍କ ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରି ପରିବାର ଲୋକେ ମଙ୍ଗଳବାର ସକାଳେ ହସ୍ପିଟାଲ ଆଗରେ ଧାରଣା ଦେଇଥିଲେ । ହସ୍ପିଟାଲ କର୍ତ୍ତୃପକ୍ଷ କ୍ଷତିପୂରଣ ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।