୩ ପ୍ରମୁଖ ମହାନଗର ନିଗମ ମେୟର ପଦ ହାତେଇଲା ବିଜେଡି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡି ହାତରେ ରାଜ୍ୟର ତିନି ମହାନଗର ମେୟର ପଦ । ଭୁବନେଶ୍ୱରରେ ସୁଲୋଚନା ଦାସ, କଟକରୁ ସୁବାଶ ସିଂ ଓ ବ୍ରହ୍ମପୁରରୁ ସଂଘମିତ୍ରା ଦଳେଇ ମେୟର ଭାବେ ନିର୍ବାଚିତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଆଜି ପୌର ନିର୍ବାଚନର ଗଣତି କାର୍ଯ୍ୟକ୍ରମ ଆରମ୍ଭରୁ ହିଁ ବିଜେଡି ନିଜ ବିଜୟ ଧାରା ଜାରି ରଖିଥିଲା । ବ୍ରହ୍ମପୁର ଓ ଭୁବନେଶ୍ୱର ବିଜେଡିର ମେୟର ପ୍ରାର୍ଥୀ ବିଜେପିକୁ ପଛରେ ପକାଇଥିଲେ । ମାତ୍ର କଟକରେ ମେୟର ପଦପାଇଁ ବିଜେଡି ଏବଂ କଂଗ୍ରେସ ମଧ୍ୟରେ ଟକ୍କର ଦେଖିବାକୁ ମିଳିଥିଲା । କଂଗ୍ରେସ ପ୍ରାର୍ଥିନୀ ଗିରିବାଳା ବେହେରା ବିଜେଡିର ସୁବାଶ ସିଂହକୁ ପଛରେ ପକାଇ ଆଗୁଆ ରହିଥିଲେ । ଶେଷ ପର୍ଯ୍ୟାୟରେ କିନ୍ତୁ ବିଜେଡ଼ି ନିଜ ଦବଦବା ଜାହିର କରି କଟକ ମେୟର ପଦ ହାତେଇଥିଲା ।

ବ୍ରହ୍ମପୁରରେ ବିଜେପି ପ୍ରାର୍ଥୀ ସବିତା ସୁଆର ୪୫୭୮୨ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡ଼ି ପ୍ରାର୍ଥୀ ସଂଘମିତ୍ରା ଦଳେଇ ୬୬୦୬୮ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ୬୭୬୮ ଖଣ୍ଡ ଭୋଟ ପାଇଛନ୍ତି । ସଂଘମିତ୍ରା ମୋଟ ୨୦୨୩୬ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ବିଜୟୀ ହେବା ପରେ ସଂଘମିତ୍ରାଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।

ସେହିପରି ଭୁବନେଶ୍ୱରରେ ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ସୁନିତ ମୁଣ୍ଡକୁ ପରାସ୍ତ କରିଛନ୍ତି । ସୁଲୋଚନା ଦେଢଲକ୍ଷରୁ ଅଧିକ ଭୋଟ ପାଇଥିବା ବେଳେ ବିଜେପିର ସୁନିତ ମୁଣ୍ଡ ୧ଲକ୍ଷରୁ ଅଧିକ ଓ କଂଗ୍ରେସ ମଧୁସ୍ମିତା ଆଚାର୍ଯ୍ୟ ମାତ୍ର ୧୦ ହଜାର ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି ।

ଅପରପକ୍ଷରେ କଟକରେ ଆଜି ପ୍ରଥମରୁ ବିଗଫାଇଟ ହୋଇଥିଲା । କଂଗ୍ରେସ ଓ ବିଜେଡି ମଧ୍ୟରେ କଡା ଟକ୍କର ଦେଖାଦେଇଥିଲା । ପରବର୍ତୀ ସମୟରେ ବିଜେଡିର ଭୋଟ ବଢି ଯାଇଥିଲା । ବିଜେଡିର ସୁବାଶ ସିଂ୬୯ ହଜାରରୁ ଅଧିକ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସର ଗିରିବାଳା ବେହେରା ୪୩ ହଜାରରୁ ଅଧିକ ଓ ବିଜେପିର ଶ୍ରୀତମ ଦାସ ୨୪ ହଜାରରୁ ଅଧିକ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି । ତେବେ ସେ ଯାହା ହେଉ ବିଜେଡିର ରଣନୀତି ଆଗରେ ବିରୋଧୀ ଫିକା ପଡିଯାଇଛନ୍ତି, ଏହାକୁ ସ୍ୱିକାର କରିବାକୁ ପଡିବ ।

Leave a comment