ଏମ୍ସରେ ସ୍ପଷ୍ଟ ହେବ ନରକଙ୍କାଳର ରହସ୍ୟ

0

ଭୁବନେଶ୍ୱର: ମାର୍ଚ୍ଚ ୨୩ରେ କଙ୍କାଳ ବାବଦରେ ମଞ୍ଚେଶ୍ବର ପୁଲିସକୁ ଖବର ମିଳିବା ମାତ୍ରେ ପୁଲିସ ଅଧିକାରୀ ଓ ସାଇଣ୍ଟିଫିକ୍ ଦଳ ଘଟଣାସ୍ଥଳରେ ପହଞ୍ଚି ନରକଙ୍କାଳ ଜବତ କରି ଅଧିକ ତଦନ୍ତ ପାଇଁ ରସୁଲଗଡ଼ସ୍ଥିତ ଫରେନସିକ ଲାବ୍କୁ ପଠାଇଥିଲେ। ପୁଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଅତି କମ୍ରେ ଏଗୁଡ଼ିକ ୧୦ରୁ ୧୫ବର୍ଷ ତଳର। ଉଦ୍ଧାର ଖପୁରି ଓ ନରକଙ୍କାଳ ବହୁତ ପୁରୁଣା ହାଇଥିବାରୁ ଅଧିକ ପରୀକ୍ଷା ପାଇଁ ଭୁବନେଶ୍ବର ଏମ୍ସ ପରୀକ୍ଷାଗାରକୁ ପଠାଯାଇଛି।
ରାଜଧାନୀରୁ ମିଳିଥିବା କଙ୍କାଳ ଖପୁରି କାହାର? ମିଳିଥିବା କଙ୍କାଳ ପୁରୁଷର ନା ମହିଳାର? ଗତ ବୁଧବାର ମଞ୍ଚେଶ୍ବର ଥାନା ଅନ୍ତର୍ଗତ ଇଞ୍ଜଣା-ପଟିଆ ଷ୍ଟେସନ ରାସ୍ତାର କେନାଲ ପୋଲ ତଳୁ ଉଦ୍ଧାର ହୋଇଥିବା ୧୦ରୁ ଊର୍ଦ୍ଧ୍ବ ଖପୁରି ଓ କଙ୍କାଳ ଏବେବି ରହସ୍ୟ ଘେରରେ ରହିଛି। ଏହି କଙ୍କାଳଗୁଡ଼ିକ କେଉଁଠାରୁ ଆସିଲା, କିଏ ସେଠାରେ ପକାଇଲା, ଏହା କୌଣସି ଅପରାଧର ପୃଷ୍ଠଭୂମି ସହ ଜଡ଼ିତ ନୁହେଁ ତ, ଏଭଳି ଅସମାହିତ ପ୍ରଶ୍ନର ଉତ୍ତର ରାଜଧାନୀବାସୀ ଖୋଜୁଥିବା ବେଳେ ପୁଲିସ ଏ ଦିଗରେ ତଦନ୍ତ କରୁଛି, ଖୁବ୍ଶୀଘ୍ର ଏହାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ ପ୍ରଶାସନ ତରଫରୁ କୁହାଯାଇଛି।
କଙ୍କାଳ ବିଷୟରେ ସମସ୍ତ ସଠିକ୍‌ ତଥ୍ୟ ଜାଣିବାକୁ ଅଧିକରୁ ଅଧିକ ତଦନ୍ତ ସହ ସମସ୍ତପ୍ରକାର ସାଇଣ୍ଟିଫିକ୍‌ ଟେଷ୍ଟ କରାଯାଉଥିବା ବେଳେ ଏମ୍ସର ତଥ୍ୟ ପରେ ହିଁ କଙ୍କାଳ କାହାର ସ୍ପଷ୍ଟ ହୋଇପାରିବ। ଏଣୁ ଆମକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ପୁଲିସ ଉପାୟୁକ୍ତ ଡ. ଉମାଶଙ୍କର ଦାଶ।

Leave a comment

You cannot copy content of this page