ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ : ନ୍ୟୁଜିଲାଣ୍ଡ୍ ଓ ସ୍ପେନ୍ ବିପକ୍ଷରୁ ଭାରତର ଅଭିଯାନ

ଭୁବନେଶ୍ୱର : ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ ୨୦୨୨-୨୩ରେ ପ୍ରତିଯୋଗିତାର ଚତୁର୍ଥ ସଂସ୍କରଣ ଖେଳାଯିବାକୁ ଥିବା ବେଳେ ଗୁରୁବାର ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍) ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଏହି କାର୍ଯ୍ୟସୂଚୀ ଅନୁସାରେ, ଭାରତ ନ୍ୟୁଜିଲାଣ୍ଡ୍ ଓ ସ୍ପେନ୍ ବିପକ୍ଷରୁ ତା’ର ଅଭିଯାନ ଆରମ୍ଭ କରିବ । ଆସନ୍ତା ଅକ୍ଟୋବର ୨୮ରେ ଦଳ ନ୍ୟୁଜିଲାଣ୍ଡ୍କୁ ଭେଟିବା ପରେ ଅକ୍ଟୋବର ୩୦ ତାରିଖରେ ସ୍ପେନ୍କୁ ଭେଟିବ । ଏହାପରେ ଭାରତ ନ୍ୟୁଜିଲାଣ୍ଡ୍ ଓ ସ୍ପେନ୍ ବିପକ୍ଷରେ ରିଟର୍ଣ୍ଣ ଲେଗ୍ରେ ମ୍ୟାଚ୍ଗୁଡ଼ିକ ଯଥାକ୍ରମେ ନଭେମ୍ବର ୪ ଓ ୬ ତାରିଖରେ ଖେଳିବ ।
ସେହିପରି ଉଭୟ ବିଦେଶୀ ଟିମ୍ ଅକ୍ଟୋବର ୨୯ରୁ ନଭେମ୍ବର ୫ ତାରିଖ ମଧ୍ୟରେ ପରସ୍ପର ସହ ଡବଲ୍ ହେଡର୍ ମୁକାବିଲାରେ ଅବତୀର୍ଣ୍ଣ ହେବେ । ସେହିପରି ଆସନ୍ତା ବର୍ଷ ମାର୍ଚ୍ଚରେ ଭାରତ ଜର୍ମାନୀ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ମାଟିରେ ଖେଳିବ ବୋଲି କାର୍ଯ୍ୟସୂଚୀରୁ ସ୍ପଷ୍ଟ ହୋଇଛି । ଏହି ମୁକାବିଲାଗୁଡ଼ିକ ମାଧ୍ୟମରେ ଆସନ୍ତା ବର୍ଷ ଖେଳାଯିବାକୁ ଥିବା ବିଶ୍ୱକପ୍ ସକାଶେ ଭାରତୀୟ ଦଳ ଉପଯୁକ୍ତ ଅଭ୍ୟାସ କରିପାରିବ ବୋଲି ଦଳର ମୁଖ୍ୟ କୋଚ୍ ଗ୍ରାହାମ୍ ରିଡ୍ ଆଶା କରିଛନ୍ତି ।