୨୫% ଦର୍ଶକଙ୍କୁ ନେଇ ଆଇପିଏଲ୍ ଖେଳାଯିବ

ମୁମ୍ବଇ: ମାର୍ଚ୍ଚ ୨୬ରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୫ଶ ସଂସ୍କରଣ ଆରମ୍ଭ। ଏହିଦିନ ମୁମ୍ବଇର ୱାଙ୍ଖେଡ଼େ ଷ୍ଟାଡିୟମ୍ରେ ଗତବର୍ଷର ଚମ୍ପିଆନ୍ ଚେନ୍ନଇ ସୁପର କିଙ୍ଗ୍ସ ଓ କଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ। କୋଭିଡ୍ ସଂକ୍ରମଣ ଯୋଗୁଁ ୨୦୨୨ ଆଇପିଏଲ୍ର ୭୦ଟିଯାକ ଲିଗ୍ ମ୍ୟାଚ୍ ମହାରାଷ୍ଟ୍ରର ୪ଟି ଷ୍ଟାଡିୟମ୍ରେ ଖେଳାଯିବ। ଲିଗ୍ ମ୍ୟାଚ୍ରେ ପ୍ରତି ଷ୍ଟାଡିୟମ୍କୁ ଆସନ ସଂଖ୍ୟାର ୨୫ ପ୍ରତିଶତ ଦର୍ଶକ ଛାଡ଼ିବାକୁ ଆଇପିଏଲ୍ ଆୟୋଜନ ନିଷ୍ପତ୍ତି ନେଇଛନ୍ତି। ମୁମ୍ବଇର ୱାଙ୍ଖେଡ଼େ, ଡିୱାଇ ପାଟିଲ ଓ ବ୍ରାବୋର୍ଣ୍ଣ ଷ୍ଟାଡିୟମ୍ରେ ଏବଂ ପୁଣେର ଏମ୍ସିଏ ଷ୍ଟାଡିୟମ୍ରେ ଲିଗ୍ ମ୍ୟାଚ୍ ଖେଳାଯିବ। ୱାଙ୍ଖେଡ଼େ ଓ ଡିୱାଇ ପାଟିଲ ଷ୍ଟାଡିୟମ୍ରେ ୨୦ଟି ଲେଖାଏଁ ଏବଂ ବ୍ରାବୋର୍ଣ୍ଣ ଷ୍ଟାଡିୟମ୍ ଓ ପୁଣେରେ ୧୫ଟି ଲେଖାଏଁ ମ୍ୟାଚ୍ ଖେଳାଯିବ। ଅହମ୍ମଦାବାଦରେ ପ୍ଳେଅଫ୍ ମ୍ୟାଚ୍ ଖେଳା ଯାଇପାରେ।
କୋଭିଡ୍ ନିୟମକୁ ପାଳନ କରିବା ଲାଗି ଷ୍ଟାଡିୟମ୍ରେ ଅଧିକ ଗହଳି ନ କରିବା ଲାଗି ଏପରି ନିଷ୍ପତ୍ତି ନିଆଯାଇଛି। ବୁଧବାରଠାରୁ ୪ଟି ଷ୍ଟାଡିୟମ୍ରେ ମୋଟ ୭୦ଟି ଲିଗ୍ ମ୍ୟାଚ୍ ପାଇଁ ଟିକଟ ବିକ୍ରି ଆରମ୍ଭ ହୋଇଛି। ଚଳିତବର୍ଷ ୨ଟି ନୂଆ ଦଳ ଗୁଜରାଟ ଲାୟନ୍ସ ଓ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ ଆଇପିଏଲ୍ ଖେଳିବାକୁ ଯାଉଛନ୍ତି। ୧୦ଟି ଦଳ ଥିବାରୁ ଲିଗ୍ ମ୍ୟାଚ୍ର ସଂଖ୍ୟା ୭୦ ହୋଇଛି। ମୋଟଉପରେ ୬୫ ଦିନରେ ୭୪ଟି ମ୍ୟାଚ୍ ଖେଳାଯିବ।