ଏକ୍‌ଜିଟ୍‌ ପୋଲ୍‌ର ଆକଳନ: ରାଜସ୍ଥାନରେ ବଜି ମାରିବ କଂଗ୍ରେସ, ତେଲେଙ୍ଗାନାରେ ଟିଆରଏସ୍‌ ଓ ମିଜୋରାମରେ ଝୁଲା ସରକାର

0

ଓଡିଶା ଫାଷ୍ଟ(ବ୍ୟୁରୋ): ରାଜସ୍ଥାନର ୧୯୯ ଏବଂ ତେଲେଙ୍ଗାନାର ୧୧୯ ଆସନ ପାଇଁ ମତଦାନ ଶୁକ୍ରବାର ଶେଷ ହୋଇଥିବା ବେଳେ ଏଥିପାଇଁ ଦୀର୍ଘ ୩ମାସ ଧରି ଚାଲିଥିବା କସରତରେ ପୂର୍ଣ୍ଣଛେଦ ପଡ଼ିଛି । ଆସନ୍ତା ୧୧ ତାରିଖରେ ମଧ୍ୟ ପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମର ନିର୍ବାଚନ ଫଳାଫଳ ବାହାରିବାର ଥିବାବେଳେ ଏଥି ପୂର୍ବରୁ ବିଭିନ୍ନ ନ୍ୟୁଜ୍ ଚ୍ୟାନେଲ ଓ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଭୋଟରଙ୍କ ମତାମତ ଲୋଡ଼ାଯାଇଛି।

ଏକ୍‌ଜିଟ୍‌ ପୋଲ୍‌ର ଆକଳନ ଅନୁଯାୟୀ ରାଜସ୍ଥାନରେ କଂଗ୍ରେସ ଏଥର ଶାସନ ଭାର ସମ୍ଭାଳିପାରେ। ଦୀର୍ଘ ୫ ବର୍ଷ ପରେ ରାଜସ୍ଥାନରେ ପୁଣିଥରେ କଂଗ୍ରେସ ବିଜେପିକୁ ଗାଦିଚ୍ୟୁତ କରି କ୍ଷମତା ଦଖଲ କରିବ।ସେହିପରି ତେଲେଙ୍ଗାନାରେ ଟିଆରଏସ୍‌ ଓ ମିଜୋରାମରେ ଝୁଲା ବିଧାନସଭା ହେବ ବୋଲି ଏହି ସର୍ଭେ କହିଛି। ହେଲେ ମଧ୍ୟ ପ୍ରଦେଶର ଚିତ୍ର କିଛି ସ୍ପଷ୍ଟ ହୋଇ ନଥିବା ବେଳେ ଛତିଶଗଡ଼ର ରମଣ ସିଂ ‌ସରକାରକୁ କଡ଼ା ଟକ୍କର ଦେଇଛି କଂଗ୍ରେସ।

ଆଜି ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରୁ ଏହି ଫଳାଫଳ ସାମ୍ନାକୁ ଆସିଛି। ତେବେ ଆସନ୍ତା ୧୧ ତାରିଖରେ ନିର୍ବାଚନ ଫଳାଫଳ ବିଧିବଦ୍ଧ ଭାବେ ପ୍ରକାଶ ପାଇବା ପରେ କିଏ ସରକାର ଗଠନ କରୁଛି ତା’ହା ଜଣାପଡ଼ିବ।

Leave a comment