ବିଜେପି ମେୟର ଦୌଡ଼ରେ ଲେଖାଶ୍ରୀ ଓ ଅନୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଜିଲା ପୌର ନିର୍ବାଚନ ବିଗୁଲ । ଏଥର ଭୁବନେଶ୍ୱରରେ ହେବେ ମହିଳା ମେୟର । ତେଣୁ ରାଜ୍ୟ ବିଜେପି ଦଳରେ ଚାଲିଛି ଯୋଗ୍ୟ ପ୍ରାର୍ଥୀ ଖୋଜା । ଚଳିତ ପଞ୍ଚାୟତ ନିର୍ବାଚନ ଫଳାଫଳ ପରେ ଶାସକ ଦଳ ପୁରା ଜୋସ ରେ ଥିବାବେଳେ ରାଜ୍ୟ ବିଜେପି ନିଜ ପରାଜୟର ଉଚିତ ଜବାବ ଦେବାକୁ ପ୍ରସ୍ତୁତ ହେଉଛି । ଆଗକୁ ଥିବା ପୌର ନିର୍ବାଚନରେ କିପରି ନିଜ ପରାଜୟର ପ୍ରତିଶୋଧ ନେବ ଏବଂ ବିଜେଡ଼ିକୁ କିପରି ଚେକ ଦେବ ସେନେଇ ଆତ୍ମ ସମୀକ୍ଷା କରୁଛି ରାଜ୍ୟ ବିଜେପି । ନଜରରେ ରହିଛି ରାଜଧାନୀ ଭୁବନେଶ୍ବରର ମେୟର ପଦବୀ ।
ଚଳିତ ଥର ଭୁବନେଶ୍ୱର ମେୟର ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ତେଣୁ ବର୍ତ୍ତମାନ ଭୁବନେଶ୍ୱର ପାଇଁ ଉପଯୁକ୍ତ ଏବଂ ଜଣେ ଦମଦାର ମୟେର ପ୍ରାର୍ଥୀ ଦେବାପାଇଁ ଚାଲିଛି ଘନ ଘନ ମାନସ ମନ୍ଥନ । ବିଜେପି କାର୍ଯ୍ୟାଳୟରେ ଭୁବନେଶ୍ୱର ମେୟର ପାଇଁ ରୁଦ୍ଧଦ୍ୱାର ବୈଠକରେ ଦୁଇଜଣଙ୍କ ନାଁ ଚର୍ଚ୍ଚାରେ ଥିବା ସୂଚନା ମିଳିଛି । ଜଣେ ହେଲେ ଲେଖାଶ୍ରୀ ସାମନ୍ତସିଂହାର, ଅନ୍ୟ ଜଣେ ହେଲେ ଅନୁ ଚୌଧୁରୀ ।
ରାଜ୍ୟ ବିଜେପି ପଞ୍ଚାୟତ ନିର୍ବାଚନ ଫଳାଫଳ ପରେ ଖୁବ ସତର୍କତାର ସହ ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି । ଭୁବନେଶ୍ୱର ମେୟର ପାଇଁ ସରକାରୀ ଦଳ ବିପକ୍ଷରେ ଡ଼ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ମେୟର ପ୍ରାର୍ଥୀ ଭାବେ ଛିଡ଼ା କରିବାକୁ ରାଜ୍ୟ ବିଜେପି ଚିନ୍ତା କରୁଛି । କାହିଁକି ନା ଲେଖାଶ୍ରୀ ଏପରି ଏକ ନେତ୍ରୀ ଯେ କି ବିଜେପିର ପକ୍ଷରୁ ସରକାରଙ୍କୁ ପ୍ରଚଣ୍ଡ ସମାଲୋଚନା କରିବା ସହ ସରକାରଙ୍କ ବିଭିନ୍ନ ବିଫଳତା ନେଇ ରାଜରାସ୍ତାରେ ବିକ୍ଷୋଭ କରୁଥିବା ରାଜଧାନୀ ବାସୀ କାହାକୁ ବା ଅଛୁପା ଅଛି । ସେ ଜଣେ ସୁବକ୍ତା । ସରକାରଙ୍କ ପ୍ରତେକ ବିଫଳତାକୁ ଏବଂ ପ୍ରତେକ ମୁଦ୍ଦା ଉପରେ ନିର୍ଭୀକ ଭାବେ ନିଜ ମତବ୍ୟକ୍ତ କରିବା ସହ ସରକାରଙ୍କୁ ସମାଲୋଚନା ମଧ୍ୟ କରନ୍ତି । ଲେଖାଶ୍ରୀ ନିଜ ଶାଣିତ ଯୁକ୍ତିରେ ରାଜ୍ୟ ସରକାରଙ୍କୁ ଅନେକ ଥର ଉତ୍ତର ରଖିବାକୁ ବାଧ୍ୟ କରିଛନ୍ତି। ପୂର୍ବରୁ ଅଧ୍ୟାପିକା ରହିସାରି ଥିବା ଲେଖାଶ୍ରୀ ବାକ ଯୁଦ୍ଧରେ ବେଶ ପାରଙ୍ଗମ । ତେଣୁ ସରକାରୀ ଦଳ ପ୍ରାର୍ଥୀକୁ ନିଜ ଶାଣିତ ପ୍ରଶ୍ନରେ ଲହୁଲୁହାଣ କରିବା ବିଶ୍ୱାସ ରଖି ଲେଖାଶ୍ରୀ ଙ୍କୁ ଭୁବନେଶ୍ୱର ମେୟର ପ୍ରାର୍ଥୀ ଘୋଷଣା କରିବାକୁ ଚିନ୍ତା କରିଛି ରାଜ୍ୟ ବିଜେପି । ମାତ୍ର ଅପରାଜିତା ମାଡ଼ମ ଏବଂ ଲେଖାଶ୍ରୀଙ୍କ ମଧ୍ୟରେ ସୁ-ସମ୍ପର୍କ ନଥିବାରୁ ଦଳ ଏହାକୁ ନେଇ ଚିନ୍ତାବ୍ୟକ୍ତ କରୁଛି । କାରଣ ଭୁବନେଶ୍ୱର ମେୟର ଚୟନ ଦାୟିତ୍ୱରେ ସାଂସଦ ଅପରାଜିତା ମାଡମ ରହିଛନ୍ତି ।
ସେହିପରି ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଅନୁ ଚୌଧୁରୀଙ୍କ ନାଁ ମଧ୍ୟ ବୈଠକରେ ଚର୍ଚ୍ଚାର ପରିସରଭୁକ୍ତ ହୋଇଥିଲା । ଅନୁ ଚୌଧୁରୀ ମଧ୍ୟ ରାଜ୍ୟର ଜଣେ ଜଣାଶୁଣା ଚେହେରା । ତାଙ୍କୁ ଭୁବନେଶ୍ୱର ମେୟର ପ୍ରାର୍ଥୀ ଭାବେ ରାଜ୍ୟ ବିଜେପି ଆଗକୁ ଆଣିବା ନେଇ ରୁଦ୍ଧଦ୍ୱାର ବୈଠକରେ କିଛି ନେତା ଯୁକ୍ତି ବାଢ଼ିଥିବା ନେଇ ସୂଚନା ମିଳିଛି । ସେହିପରି ଭୁବନେଶ୍ୱର ତିନି ବିଜେପି ବିଧାୟକ ପ୍ରାର୍ଥୀଙ୍କୁ କର୍ପୋରେଟର ପ୍ରାର୍ଥୀ ଚୟନ ଦାୟିତ୍ୱ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।