ଇତିହାସ ରଚିଲା ବିଜେଡ଼ି, ସୃଷ୍ଟି କଲା ନୂତନ ରେକର୍ଡ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନୂତନ ରେକର୍ଡ ସୃଷ୍ଟି କଲା ବିଜେଡ଼ି । ଯାହା ଆକଳନ କରାଯାଉଥିଲା ତାହା ସତ ହେଲା । ନିଜର ପୁରୁଣା ରେକର୍ଡ ଭାଙ୍ଗିଲା ବିଜେଡ଼ି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳ ୮୫୧ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୭୬୦ ରୁ ଅଧିକ ଆସନ ଅକ୍ତିଆର କରିବାକୁ ଯାଉଛି । ସାରା ରାଜ୍ୟର କୋଣ ଅନୁକୋଣରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଓ ନିର୍ମଳ ଶାସନ ଓ ବିକାଶମୂଳକ ଯୋଜନାକୁ ମିଳିଛି ଜନ ସମର୍ଥନ ।ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ବିଜେଡ଼ି ଜିଲ୍ଲା ପରିଷଦ ଗଠନ କରିବାକୁ ଯାଉଛି ।

ସୂଚନା ଅନୁଯାୟୀ, ୮୫୧ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ଅଦ୍ୟାବିଧି ୫୪୩ ଆସନରେ ବିଜେଡି ବିଜୟ ବାନା ଉଡାଇ ସାରିଛି । ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ସହିତ ଯୋଡି ହୋଇଯାଇଛି ତାଙ୍କ ସରକାରର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ । କୋଭିଡ଼୍ ପରିଚାଳନାରେ ରାଜ୍ୟ ସରକାରଙ୍କ ସଫଳତା, ମାଗଣା ଚିକିତ୍ସା ଏବଂ ସ୍ୱାସ୍ଥ୍ୟ କାର୍ଡ ଯୋଜନା, ଚାକିରୀ ନିୟମିତ କରିବା, ଦରମା ବଢାଇବା ଭଳି ଅନେକ ପଦକ୍ଷେପର ବହୁତ ପ୍ରଭାବ ଲୋକଙ୍କ ଉପରେ ପଡ଼ିଛି ।

ଅନ୍ୟପକ୍ଷରେ ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ହାପ ସେଞ୍ଚୁରୀ ମାରିବାକୁ ମଧ୍ୟ ସକ୍ଷମ ହୋଇନାହାନ୍ତି । ୨୦୧୭ ନିର୍ବାଚନରେ ଅପ୍ରତ୍ୟାଶିତ ସଫଳତା ପାଇ ୨୫୦ରୁ ଜିଲ୍ଲା ପରିଷଦ ଜୋନ ଜିତିଥିବା ବିଜେପି ମାଟି କାମୁଡ଼ି ପଡିଛି । ବର୍ତ୍ତମାନ ସୁଦ୍ଧା ବିଜେପି ୩୧ଟି ଆସନରେ ବିଜୟୀ ହୋଇଥିବା ବେଳେ ୧୫ଟି ଆସନରେ ଆଗରେ ଚାଲିଛି । ବିଜେପିର ମିଛ, ଛଳନା, ଅହଂକାରର ଉତ୍ତର ଓଡ଼ିଶାବାସୀ ବାଲାଟ ପେପରରେ ଦେଇଛନ୍ତି ।

କଂଗ୍ରେସ କଥା ନକହିବା ଭଲ । ସର୍ବ ପୁରାତନ ଜାତୀୟ ଦଳ କଂଗ୍ରେସ ପରାଜୟ ପରେ ପରାଜୟର ସମ୍ମୁଖୀନ ହେଉଥିଲେ ବି ଏଥିରୁ କିଛି ଶିଖିବା ଭଳି ମନେ ହେଉନାହିଁ । ଓଡ଼ିଶାରେ ଅସ୍ତିତ୍ବ ହରାଇବାକୁ ବସିଥିବା ଏହି ଜାତୀୟ ଦଳ ୪୬ଟି ଜୋନରେ ଆଗରେ ରହିଛି । ଏଥିରୁ ୩୧ଟିରେ ବିଜୟୀ ହୋଇଛି । ଅନ୍ୟପକ୍ଷରେ ଅନ୍ୟମାନଙ୍କ ଖାତାକୁ ୭ଟି ଆସନ ଯାଇଛି ।

Leave a comment