ବିଶ୍ୱର ସବୁଠାରୁ ବଡ ବିମାନ ଏଏନ ୨୨୫ ମ୍ରିୟା ଧ୍ୱଂସ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଶ୍ୱର ସବୁଠାରୁ ବଡ ବିମାନ ଏଏନ ୨୨୫ ମ୍ରିୟା । ୟୁକ୍ରେନୀୟ ଭାଷାରେ ମ୍ରିୟାର ଅର୍ଥ ସ୍ୱପ୍ନ। ଏହି ଉଡାଜାହାଜର ଲମ୍ବ ୮୪ ମିଟର ବା ୨୭୬ ଫୁଟ୍ । ୨୫୦ ମେଟ୍ରିକ୍ ଟନ୍ ସାମଗ୍ରୀ ଧାରଣ କରିବାର କ୍ଷମତା ବି ଥିଲା । ଘଣ୍ଟାକୁ ୮୫୦ କିମି ବେଗରେ ଆକାଶର ବୁକୁକୁ ଚିରି ଉଡୁଥିଲା ମ୍ରିୟା। କିନ୍ତୁ ସେ ଆଉ ଉଡିବନି। ଋଷର ବୋମା ମାଡରେ ହୋଇଯାଇଛି ନଷ୍ଟ । ଋଷ ସେନାର ଘନ ଘନ ଆକ୍ରମଣରେ ଚୁରମାର୍ ହୋଇଯାଇଛି ୟୁକ୍ରେନର ସ୍ୱପ୍ନ।
ଋଷ ସେନା ଦୁନିଆର ସଙ୍କଟମୋଚକକୁ ନଷ୍ଟ କରିଛି । ଦୁନିଆର ସବୁଠାରୁ ବଡ଼ କାର୍ଗୋ ବିମାନ ଏନ-୨୨୫ ବିମାନକୁ ୧୯୮୦ ମସିହାରେ ୟୁକ୍ରେନର SSRରେ ଡିଜାଇନ କରାଯାଇଥିଲା। ସେହି ସମୟରେ ଆମେରିକା ଏବଂ ଋଷ ମଧ୍ୟରେ ବିବାଦ ଚରମରେ ଥିଲେ। ଏଏନ ୨୨୫ର ବୁରାନ ସ୍ପେସ ସଟଲକୁ ନେବା ପାଇଁ କରାଯାଇଥିଲା। ୧୯୯୧ ସୋଭିଏତ ସଂଘର ପତନ ପରେ ବୁରାନ କାର୍ଯ୍ୟକ୍ରମକୁ ରଦ୍ଦ କରାଯାଇଥିଲା। ପରେ ବିମାନରେ ଭାରି ସାମଗ୍ରୀ ପରିବହନ କରାଗଲା। ୧୯୮୮ରେ ପ୍ରଥମ ଥର ଉଡାଣ ଭରିଥିଲା ମ୍ରିୟା। କରୋନା କାଳରେ ମେଡିକାଲ ଉପକରଣ ପରିବହନ କରିଥିଲା ମ୍ରିୟା। ଦୁନିଆରେ କେବଳ ଗୋଟିଏ ହିଁ ଏଏନ ୨୨୫ ବିମାନ। ଏହାକୁ କିଭ କମ୍ପାନୀ ଆଣ୍ଟୋନୋଭ ନିର୍ମାଣ କରିଥିଲା। ସବୁଠାରୁ ବଡ଼ ବିମାନ ଯୋଗୁଁ ମ୍ରିୟା ବେଶ ଲୋକପ୍ରିୟ ଥିଲା।
ମ୍ରିୟା ଧ୍ୱଂସ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଡିମିତ୍ରୋ କୁଲେବା। ଋଷିଆ ଆମ ମ୍ରିୟାକୁ ଛଡେଇ ନେଲା । କିନ୍ତୁ ସେମାନେ ଆମ ସ୍ୱପ୍ନ ଭାଙ୍ଗି ପାରିବେ ନାହିଁ । ୟୁକ୍ରେନ ଏକ ମୁକ୍ତ ଓ ସ୍ୱାଧିନ ଦେଶ । ୟୁକ୍ରେନ ପୁଟିନଙ୍କ ଆକ୍ରମଣର ଜବାବ ଦେବ ବୋଲି କହିଛନ୍ତି କୁଲେବା।