ଦ୍ୱିତୀୟ ଦିନ: ୩୦୫ଜୋନ୍ରେ ହେବ ଗଣତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚାୟତ ଭୋଟ୍ ଗଣତିର ଆଜି ଦ୍ୱିତୀୟ ଦିନରେ ରାଜ୍ୟରେ ୩୦୫ ଜୋନରେ ଗଣତି ହେବ । ଗତକାଲି ବ୍ଲକର ଗୋଟିଏ ଲେଖାଏ ଜୋନରେ ଗଣତି ହୋଇଥିଲା । କେବଳ ଭୋଗରାଇ ବ୍ଲକରେ ୨ଟି ଜୋନରେ ଗଣତି ହୋଇଥିଲା । ତେବେ ଆଜି ୫ଟି ଜୋନ୍ ଥିବା ବ୍ଲକର ୨ଟି ଲେଖାଏ ଜୋନରେ ଗଣତି ହେବ । ସକାଳ ୮ଟାରୁ କଡ଼ା ସୁରକ୍ଷାରେ କାଉଣ୍ଟିଂ ଆରମ୍ଭ ହେବ । ଏଜେଣ୍ଟଙ୍କ ଉପସ୍ଥିତିରେ ସିଲ୍ ଖୋଲି ବାଲଟ ବାହାର କରି ଗଣତି କରାଯିବ । ପ୍ରତି ୱାର୍ଡର ଗଣତି ପରେ ମାଇକ ମାଧ୍ୟମରେ ଫଳାଫଳ ଘୋଷଣା କରାଯିବ । ଏଥିପାଇଁ କାଉଣ୍ଟିଂ ସେଣ୍ଟର ଭିତରେ ଓ ବାହାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଏଯାବତ୍ ସରିଥିବା ଗଣତି ମଧ୍ୟରେ ରେକର୍ଡ ସଂଖ୍ୟକ ଜିଲ୍ଲା ପରିଷଦ ଆସନରେ ଶାସକ ବିଜୁ ଜନତା ଦଳ ବିଜୟୀ ହୋଇଛି । ଗଣତିର ପ୍ରାରମ୍ଭ ଦିନରେ ୩୧୫ ଜୋନର ଗଣତି ରହିଥିବାବେଳେ ଅର୍ଦ୍ଧାଧିକ ଆସନରେ ବିଜେଡି ଯଥେଷ୍ଟ ଆଗରେ ରହିଛି । ସେପଟେ ୨୦୧୭ ପଞ୍ଚାୟତ ନିର୍ବାଚନରେ ଯେଉଁ ଆସନରେ ବିଜେପି ଭଲ ପ୍ରଦର୍ଶନ କରିଥିଲା, ବର୍ତ୍ତମାନ ପରିପ୍ରେକ୍ଷୀରେ ସେହି ସମସ୍ତ ଜୋନରେ ବିରୋଧି ବିଜେପିର ପ୍ରଦର୍ଶନ ଅପରିବର୍ତ୍ତିତ ରହି ନାହିଁ । ଅର୍ଥାତ ବିଜେପିର ସ୍ଥିତି ଏଠାରେ ଖରାପ ରହିଛି ।