ଖୋଲୁଛି ଗୁଡ ନ୍ୟୁଜ ଇଣ୍ଡିଆ ସେଲଟର ହୋମ୍ ଗୁମର, ଜବରଦସ୍ତି କରାଯାଉଥିଲା ଧର୍ମ ପରିବର୍ତ୍ତନ
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଧର୍ମାନ୍ତରୀକରଣର ପ୍ରମୁଖ କେନ୍ଦ୍ରସ୍ଥଳ ପାଲଟିଥିଲା ‘ଗୁଡ ନ୍ୟୁଜ ଡ୍ରିମ ଇଣ୍ଡିଆ ସେଣ୍ଟର’ । ଏଥିରେ ଲାଗୁଥିଲା ବିଦେଶରୁ ଆସୁଥିବା ଅପର୍ଯ୍ୟାପ୍ତ ଅର୍ଥ । ଅସହାୟ ଅବସ୍ଥାରେ ରହୁଥିବା ଅନ୍ତେବାସୀଙ୍କୁ ଜୋରଜବରଦସ୍ତ ଅନ୍ୟ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଉଥିଲା । ପଶ୍ଚିମବଙ୍ଗସ୍ଥିତ ମୁଖ୍ୟ କାର୍ଯ୍ୟାଳୟରୁ ସମସ୍ତ କାର୍ଯ୍ୟକ୍ରମ ସଞ୍ଚାଳନ କରୁଥିଲେ ଅନୁଷ୍ଠାନର ଚେୟାରମ୍ୟାନ ଡ. ଫୟାଜ ରେହମାନ । ଦୁଇଦିନିଆ ରିମାଣ୍ଡର ମାରାଥନ ଜେରାବେଳେ ରେହମାନଙ୍କଠାରୁ ଏଭଳି ଅନେକ ତଥ୍ୟ ହସ୍ତଗତ ହୋଇଥିବା ଏସ୍ପି ସନ୍ତୋଷ କୁମାର ନାୟକ କହିଛନ୍ତି । ଅନ୍ୟପଟେ ଅନ୍ତେବାସୀଙ୍କୁ ର୍ନିଯାତନା, ଯୌନଶୋଷଣ ଅଭିଯୋଗ ପରେ ଏଥିରେ ଯୋଡ଼ିହୋଇଥିବା ଧର୍ମାନ୍ତରୀକରଣ ପ୍ରସଙ୍ଗ ଏବେ ମାମଲାକୁ ନୂଆମୋଡ଼ ଦେଇଛି । ଏହାପରେ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ଆଉ ୨ ଦିନ ବଢ଼ାଇ ଦିଆଯାଇଛି । ଏ ସମ୍ପର୍କରେ ଏସ୍ପି କୁହନ୍ତି, ଢେଙ୍କାନାଳ ଜିଲ୍ଲା ବେଲଟିକିରିସ୍ଥିତ ‘ଗୁଡ ନ୍ୟୁଜ ଡ୍ରିମ ଇଣ୍ଡିଆ ସେଣ୍ଟର’ ଯୌନଶୋଷଣ ମାମଲାର ପ୍ରମୁଖ ଅଭିଯୁକ୍ତ ଫୟାଜଙ୍କ ଜେରାବେଳେ ବହୁ ଚାଞ୍ଚଲ୍ୟକର ତଥ୍ୟ ହାତରେ ଲାଗିଛି । ଏହାପରେ ୨ଦିନ ରିମାଣ୍ଡ ବୃଦ୍ଧି କରିବାକୁ ଆବେଦନ କରାଯାଇଥିଲା । ଏହାକୁ ସ୍ବତନ୍ତ୍ର ପୋକ୍ସୋ ଅଦାଲତ ମଞ୍ଜୁର କରିଛନ୍ତି । ଅନୁମତି ମିଳିବା ପରେ ୭ ତାରିଖ ଯାଏଁ ରେହମାନ ପୋଲିସ ରିମାଣ୍ଡରେ ରହିବେ ।