ପୁଣି ମହିଳାଙ୍କ ହୃଦୟ ଜିତିଲେ ନବୀନ, ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ବିଲକୁ ସଂସଦରେ ପାରିତ କରିବାକୁ ମୋଦିଙ୍କୁ ନବୀନଙ୍କ ଚିଠି

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଜାରି ରଖିଛନ୍ତି । ଗତ ବିଧାନସଭା ଓ ପାର୍ଲାମେଣ୍ଟରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଆଗତ କରିଥିଲେ । ଦଳମତ ନିର୍ବିଶେଷରେ ସମସ୍ତ ସଦସ୍ୟ ଏହାକୁ ସମ୍ମତି ଜଣାଇଥିଲେ । ଏହାର ପରବର୍ତ୍ତୀ କାର୍ଯ୍ୟପନ୍ଥା ପାଇଁ ଉକ୍ତ ସଂରକ୍ଷଣ ବିଲକୁ ସଂସଦରେ ପାରିତ କରିବା ପାଇଁ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ନବୀନ । ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୦ ଜନ୍ମଜୟନ୍ତୀରେ ଏହା ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ନବୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି କହିଛନ୍ତି । 

ନବୀନ ଚିଠିରେ ଲେଖିଛନ୍ତି, ପାର୍ଲାମେଣ୍ଟ ଏବଂ ରାଜ୍ୟ ବିଧାନସଭାଗୁଡିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ସ୍ଥାନ ସଂରକ୍ଷଣ ହେଉ । ଏହାକୁ ଆଇନରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ । ଏଥିପାଇଁ ଓଡ଼ିଶା ସରକାରଙ୍କ ପୂର୍ଣ୍ଣ ସମର୍ଥନ ରହିବ ।

ଅପରପକ୍ଷରେ ଏହି ବିଲକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ବିଭିନ୍ନ ରଣନୀତି ପ୍ରସ୍ତୁତ କରିଛନ୍ତି । ନବୀନ ନିବାସରେ ବିଜେଡି ଉପସଭାପତି ଓ ସାଧାରଣ ସମ୍ପାଦକମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଥିଲା । ଏହି ବିଲ୍ ସପକ୍ଷରେ ରାଜନୀତିକ ଦଳଗୁଡ଼ିକ ମଧ୍ୟରେ ସହମତି ସୃଷ୍ଟି କରିବାକୁ ବିଜେଡି ପଦକ୍ଷେପ ନେବ ବୋଲି ସହମତି ହୋଇଛି । ସଂସଦରେ ଅଟକି ରହିଥିବା ମହିଳା ବିଲକୁ ଆଇନରେ ପରିଣତ କରିବା ଦିଗରେ ବିଜେଡି ବିଭିନ୍ନ ରାଜନୀତିକ ଦଳ ମଧ୍ୟରେ ସହମତି ସୃଷ୍ଟି କରିବ ।

ଏଥିପାଇଁ ବିଜେଡିର ପ୍ରତିନିଧିମାନେ ଦେଶର ୭ଟି ଜାତୀୟ ଦଳ ଓ ୧୫ଟି ଆଞ୍ଚଳିକ ଦଳର ମୁଖ୍ୟମାନଙ୍କୁ ଭେଟିବେ । ଏହାବ୍ୟତୀତ ଡିସେମ୍ବର ୧୧ରୁ ଆରମ୍ଭ ହେଉଥିବା ସଂସଦର ଶୀତ ଅଧିବେଶନରେ ଦଳର ସାଂସଦମାନେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇବେ ।

Leave a comment