ଯଶପଡ଼ା ପଞ୍ଚାୟତରେ ସରପଞ୍ଚ ଭୋଟ୍ ବାତିଲ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ):କଟକ ସଦର ବ୍ଲକର ଯଶପଡ଼ା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀନୀ ନମିତା ବେହେରାଙ୍କର ଗତକାଲି ବିଳମ୍ବିତ ରାତିରେ ଆକସ୍ମିକ ବିୟୋଗ ଘଟିଛି। ଗତକାଲି ରାତିରେ ନିଜ ସମର୍ଥକ ଙ୍କ ସହ ନିର୍ବାଚନ ପାଇଁ ଆଲୋଚନା ସାରି ପ୍ରାୟ ୧୦.୩୦ ଶୋଇବାକୁ ଯାଇଥିଲେ। ବିଳମ୍ବିତ ରାତିରେ ତାଙ୍କ ସ୍ବାମୀ ସରୋଜ ବେହେରା ଘରକୁ ଫେରିବା ପରେ ନମିତା ସୋଇଥିବା ଘର କବାଟ ବାଡେଇଥିଲେ। ନମିତା ନ ଶୁଣିବାରୁ ବାରମ୍ବାର ଡାକିବା ପରେ ବି ନମିତା ଶୁଣିନଥିଲେ । ତାଙ୍କ ସ୍ବାମୀ କବାଟ ଭାଙ୍ଗି ଘରକୁ ପଶିଥିଲେ । ନମିତାଙ୍କୁ ଅଚେତ ଅବସ୍ଥାରେ ଦେଖିବାକୁ ପାଇଥିଲେ ଓ ତାଙ୍କ ପାଟିରୁ ଫେଣ ବାହାରୁଥିବା ଦେଖିଥିଲେ ।

ସାଙ୍ଗେ ସାଙ୍ଗେ ୧୦୮ ଆମ୍ବୁଲାନ୍ସ ଡାକି ତାଙ୍କୁ କଟକ ବଡ଼ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନମିତାଙ୍କ ମୃତ୍ୟୁ ଘଟଣା ଖବର ପାଇବା ପରେ ଯଶପଡ଼ା ପଞ୍ଚାୟତ ଓ ଆଖପାଖ ଅଞ୍ଚଳ ଶୋକାକୁଳ ବାତାବରଣ ଛାଇଯାଇଥିଲା ।

ତାଙ୍କ ନିଜସ୍ୱ ୧୩ନମ୍ବର ୱାର୍ଡ ବାସୀ ଭୋଟ୍ ଦେବନାହିଁ ବୋଲି କହିଥିଲେ । ଆଜି ଏହି ବୁଥକୁ କେହି ଭୋଟ୍ ଦେବାକୁ ମଧ୍ୟ ଆସି ନଥିଲେ । ଆଜି ଭୋଟ୍ ଆରମ୍ଭରୁ ୧ଘଣ୍ଟା ପର୍ଯ୍ୟନ୍ତ ଏହି ବୁଥରେ କୌଣସି ଭୋଟ ପଡିନଥିଲା। ଏପରିକି ଏଜେଣ୍ଟ ମଧ୍ୟ ଆସିନଥିଲେ। ଖବରପାଇ ସଦର ବିଡ଼ିଓ ତଥା ନିର୍ବାଚନ ଅଧିକାରୀ ରାଜୀବ ଲୋଚନ ପରିଡ଼ା ବୁଥରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ। ଅନେକ ବୁଝାସୁଝା ପରେ ଗ୍ରାମବାସୀଙ୍କୁ ମାନେଇବାରେ ସକ୍ଷମ ହୋଇଥଲେ ଅଧିକାରୀ । ଏହାପରେ ୮ଟା ୧୫ ରେ ମତଦାନ ଆରମ୍ଭ ହୋଇଥିଲା। ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ଏହି ପଞ୍ଚାୟତରେ ସରପଞ୍ଚ ଭୋଟକୁ ବାତିଲ କରାଯାଇଛି।ନମିତାଙ୍କ ଏପରି ଆକସ୍ମିକ ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ସନ୍ଧେହ ସୁଷ୍ଟି କରିଛି।

Leave a comment