ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ଚାଲିବ ଭୁବନେଶ୍ୱର ରାସ୍ତାରେ କାର୍ଣ୍ଣିଭାଲ୍‍

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାମ ମନ୍ଦିର-ହାଉସିଂ ବୋର୍ଡ ରାସ୍ତାରେ ୧୬ ଦିନ ଗଡ଼ିବନି ଗାଡ଼ି । କାରଣ ଗତ କାଲିଠାରୁ ଭୁବନେଶ୍ୱର ରାସ୍ତାରେ ଆରମ୍ଭ ହୋଇଛି କାର୍ଣ୍ଣିଭାଲ୍‍ । ଏଥିରେ ଯୋଗଦେବେ ବଲିଉଡ୍‍ର ନାମୀଦାମୀ କଳାକାର । ରାମ ମନ୍ଦିର ଛକରୁ ପ୍ରଦର୍ଶନୀ ପଡିଆ ଦେଇ ହାଉସିଂ ବୋର୍ଡ ଛକ ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତାରେ ଏହି କାର୍ଣ୍ଣିଭାଲ ର ଆୟୋଜନ ହୋଇଛି । ରାସ୍ତା କଡ଼ରେ ଛିଡ଼ା ହୋଇ ଦର୍ଶକ କାର୍ଯ୍ୟକ୍ରମ ଉପଭୋଗ କରି ପାରିବେ । ଦର୍ଶକଙ୍କ ପାଇଁ ଡିସେମ୍ବର ୧ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ କାର୍ଣ୍ଣିଭାଲ୍‍ ସହିତ ଚିତ୍ତାକର୍ଷକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ହକି ବିଶ୍ୱକପ୍‍ରେ ସାମିଲ୍‍ ହେବା ପାଇଁ ଦେଶ ବିଦେଶରୁ ଲୋକ ଆସିବାକୁ ଥିବାରୁ ସେମାନଙ୍କ ମନୋରଞ୍ଜନ ଓ ଷ୍ଟାଡିୟମ୍‍ ଯାଇ ପାରୁନଥିବା ଦର୍ଶକଙ୍କ ପାଇଁ ଏହି ଆୟୋଜନ ହୋଇଛି ।

ବିଶାଲ ଓ ଶେଖର, ଶ୍ରେୟା ଘୋଷାଲ୍‍, ଶାନ୍‍, କ୍ରିଷ୍ଣା ବେଉରା, ଫରହାନ ଅଖତର୍‍, ଶଙ୍କର ଏହସାନ୍‍ ଲଏଙ୍କ ଭଳି ବଲିଉଡ୍‍ ଗାୟକ, କଳାକାର ଯୋଗଦେବେ । ଏଥିପାଇଁ ୟୁନିଟ୍‍-୩ ସ୍ଥିତ ପ୍ରଦର୍ଶନୀ ପଡିଆ ଏବଂ ଏହାର ମୁଖ୍ୟ ରାସ୍ତାରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ବିଡିଏ, ବିଏମ୍‍ସି, କ୍ରୀଡ଼ା ଓ ପର୍ଯ୍ୟଟନ ବିଭାଗ, କମିଶନରେଟ୍‍ ପୁଲିସ୍‍ ଉପରେ ରହିଛି ଏହାର ମୁଖ୍ୟ ଦାୟିତ୍ୱ । ପ୍ରଦର୍ଶନୀ ପଡିଆରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ଷ୍ଟେଜ୍‍ ନିର୍ମାଣ କରାଯାଇଛି । ପଡିଆ ବାହାରେ ରାମ ମନ୍ଦିର ଛକରୁ ହାଉସିଂ ବୋର୍ଡ ଛକ ରାସ୍ତାରେ କାର୍ଣ୍ଣିଭାଲ୍‍ ଚାଲିଛି । ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସହିତ ଖାଦ୍ୟପେୟର ବି ବ୍ୟବସ୍ଥା ରହିଛି । ଏହି ରାସ୍ତାରେ ୧ରୁ ୧୬ ତାରିଖ ପର୍ଯ୍ୟନ୍ତ ସଂଧ୍ୟା ସମୟରେ ଟ୍ରାଫିକ୍‍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ ।

୧ ତାରିଖ ଦିନ ବଲିଉଡ୍‍ର ପ୍ରଖ୍ୟାତ ସଙ୍ଗୀତ ନିର୍ଦେଶକ ଯୋଡ଼ି ବିଶାଲ ଶେଖର ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ୨ ତାରିଖରେ ରକ୍‍ ଫେଷ୍ଟିଭାଲ୍‍ ଆୟୋଜିତ ହୋଇଛି । ଏଥିରେ ସିଦ୍ଧାନ୍ତ ଶର୍ମା ରକ୍‍ ବ୍ୟାଣ୍ଡ ପରିବେଷଣ କରିବେ । ୩ ତାରିଖରେ ସୋନା ମହାପାତ୍ର ଲାଲ୍‍ ପରି ମସ୍ତାନୀ କାର୍ଯ୍ୟକ୍ରମରେ ଯୋଗଦେବେ । ୮ ତାରିଖରେ ଶ୍ରେୟା ଘୋଷାଲ, ୯ ତାରିଖରେ ଶାନ୍‍ ଯୋଗଦେବେ । ସେହିପରି ୧୧ ତାରିଖରେ ଆୟୋଜିତ ହେବ କ୍ଲାସ୍‍ ଅଫ୍‍ ବ୍ୟାଣ୍ଡ୍‍ ୧୨ ତାରିଖରେ ଚକ୍‍ ଦେ ଓଡ଼ିଶା କାର୍ଯ୍ୟକ୍ରମରେ ହକି ଥିମ୍‍ ଆକ୍ଟ, କ୍ରିଷ୍ଣା ବେଉରା ଓ ପ୍ରିନ୍ସ ଡାନ୍ସ ଗ୍ରୁପ୍‍ ମଞ୍ଚରେ ପ୍ରଦର୍ଶନ କରିବେ । ବଲିଉଡ୍‍ର ପ୍ରସିଦ୍ଧ ନିର୍ଦେଶକ, ଅଭିନେତା ତଥା ଗାୟକ ଫରହାନ୍‍ ଅଖତର୍‍ ଦର୍ଶକଙ୍କ ମନୋରଞ୍ଜନ କରିବେ । ୧୫ ତାରିଖରେ ରହିଛି ଡିଜେ ସଙ୍ଗୀତ କାର୍ଯ୍ୟକ୍ରମ ଇଡିଏମ୍‍ ଫେଷ୍ଟ୍‍ ୧୬ ତାରିଖ ଉଦ୍‍ଯାପନୀ ସଂଧ୍ୟାରେ ବ୍ରେଥ୍‍ଲେସ୍‍ ଭୁବନେଶ୍ୱରରେ ଗାୟକ ଶଙ୍କର ମହାଦେବନ ତାଙ୍କ ବ୍ୟାଣ୍ଡର ସଦସ୍ୟ ଏହସାନ୍‍ ଓ ଲୟଙ୍କ ସହିତ ପ୍ରଦର୍ଶନୀ ପଡିଆରେ ସଙ୍ଗୀତ ପରିବେଷଣ କରିବେ । ୪ ତାରିଖ ସଂଧ୍ୟାରେ ବିଭିନ୍ନ ରାଜ୍ୟର କଳାକାର ଲୋକନୃତ୍ୟ ପରିବେଷଣ କରିବେ । ଏଥିରେ ଆସାମ, ରାଜସ୍ଥାନ, କେରଳ ଏବଂ ଓଡ଼ିଶାର କଳାକାର ଅଂଶଗ୍ରହଣ କରିବେ । ମାର୍ସାଲ୍‍ ଆର୍ଟ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିବ ।

ବିଡିଏର ଜଣେ ଅଧିକାରୀଙ୍କ କହିବା ଅନୁସାରେ ରାମ ମନ୍ଦିର ଓ ହାଉସିଂ ବୋର୍ଡ ଛକ ରାସ୍ତାରେ ସାଜସଜ୍ଜା କରାଯାଇଛି । କାର୍ଣ୍ଣିଭାଲ୍‍ ଶେଷ ହେବା ପର୍ଯ୍ୟନ୍ତ ଅପରାହ୍ନରେ ଏହି ବାଟଦେଇ ଗାଡ଼ି ଚଳାଚଳ ବନ୍ଦ ରହିବ । ସହରର ଦୁଇ ପ୍ରମୁଖ ରାସ୍ତା ଦେଇ ଲୋକେ କାର୍ଣ୍ଣିଭାଲ୍‍ ଦେଖିବା ପାଇଁ ଆସିବେ । ନିକଟରେ ଥିବା ଖୋଲା ସ୍ଥାନ ଓ ପଡ଼ିଆରେ ଗାଡ଼ି ପାର୍କିଂ ବ୍ୟବସ୍ଥା ହୋଇଛି ।

ସେହିପରି ଫୁଡ୍‍ ଫେଷ୍ଟଭାଲ୍‍ରେ ୨୬ଟି ଷ୍ଟଲ୍‍ରେ ୧୬ଟି ଦେଶର ବ୍ୟଞ୍ଜନ ପ୍ଲେଟ୍‍ରେ ପ୍ରସ୍ତୁତ ହେବା ସହ ଓଡ଼ିଶାର ପାରମ୍ପରିକ ଛେନାପୋଡ଼, ଡାଲମା, ବରା ଓ ଗୁଗୁନି ଏବଂ ମନ୍ଦିର ପ୍ରସାଦ ସେବନ ପାଇଁ ଲୋକଙ୍କୁ ସୁଯୋଗ ଦିଆଯାଉଛି । ଖାଦ୍ୟ ସହିତ ବୁଲିବା ପାଇଁ ପୁରୀ, ମଙ୍ଗଳାଯୋଡ଼ି, କୋଣାର୍କ, ଚଉଷଠୀ ଯୋଗିନୀ, ଧଉଳି ତଥା ଖଣ୍ଡଗିରି ପାହାଡ଼ ବୁଲିବା ପାଇଁ ଏହି ପ୍ରଚାରପତ୍ର ଜରିଆରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରୟାସ କରାଯାଉଛି । ଏଥିସହ ଭୁବନେଶ୍ୱରର ବିଭିନ୍ନ ଦର୍ଶନୀୟ ଓ ଲୋକପ୍ରିୟ ସ୍ଥାନ ସମ୍ପର୍କରେ ସବିଶେଷ ସୂଚନା ରହିଛି ।

Leave a comment