ବାଲିଅନ୍ତା ବ୍ଳକ ୧୬ନମ୍ବର ଜୋନରେ ବିଜେଡ଼ି କୁ ଟକ୍କର ଦେବେ ସ୍ବାଧୀନ ପ୍ରାର୍ଥୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏବେ ଗାଁ ଦାଣ୍ଡ ଦୁଲୁକୁଛି । ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ପ୍ରଚାର ଓ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି । ପ୍ରାର୍ଥୀମାନେ ମତଦାତାଙ୍କୁ ଭୋଟ ଦେବା ଲାଗି ଆକୃଷ୍ଟ କରିବାରେ ଲାଗିଛନ୍ତି। ଏହାରି ଭିତରେ ଦେଖିବାକୁ ମିଳିଛି ବିଜେଡି ଓ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ । ବାଲିଅନ୍ତା ବ୍ଳକର ଜଗନ୍ନାଥପୁର ପଞ୍ଚାୟତର ୬୦ ଗୋଟି ୱାର୍ଡକୁ ନେଇ ଗଠିତ । ୧୬ ନମ୍ବର ଜୋନ ଜିଲାପରିଷଦ ପ୍ରାଥୀ ପାଇଁ ୬ ଜଣ ମଇଦାନକୁ ଓଲ୍ହାଇଛନ୍ତି । ବିଜେଡି, ବିଜେପି, କଂଗ୍ରେସ, ସ୍ବାଧୀନ, ଆମ ଆଦମୀ ପାଟି, ବହୁଜନ ସମାଜବାଦୀ ପାଟି ପ୍ରମୁଖ ଦଳର ସମର୍ଥିତ ପ୍ରାର୍ଥୀମାନେ ଭାଗ୍ୟ ପରୀକ୍ଷା କରୁଛନ୍ତି । ବିଜେଡ଼ିରୁ ମହେଶ୍ବର ଦାସ ଏବଂ ସ୍ବାଧୀନ ପ୍ରାର୍ଥୀ ଭାବେ ତ୍ରୈଲୋକ୍ୟ ମଙ୍ଗରାଜଙ୍କ ଭିତରେ ଲଢେଇ ଜୋରଦାର ହେବା ନେଇ ଚର୍ଚ୍ଚା ହେଉଛି ।

ଏହି ଜୋନକୁ ବିଜେଡିର ଦୁର୍ଗ ବୋଲି କୁହାଯାଉ ଥିବାବେଳେ ଚଳିତ ନିର୍ବାଚନରେ ଶାସକ ବିଜେଡ଼ି ଦଳ ନିଜ ଗଡ଼କୁ ବଞ୍ଚାଇବାକୁ ହେଲେ ଅନେକ କଷ୍ଟକର ହେବ ବୋଲି ଚର୍ଚ୍ଚା ହେଉଛି । କାରଣ ଏଥର ବିଧାୟକ ଅରବିନ୍ଦ ଡ଼ାଲିଙ୍କୁ ଦଳ କଣଠେସା କରିଛି ଓ ଟିକେଟ ବଣ୍ଟନ ପ୍ରକ୍ରିୟାରୁ ତାଙ୍କୁ ବାଦ ଦିଆଯାଇଛି । ଦଳର ଆଗଧାଡ଼ିର ନେତା ଚନ୍ଦନ ପାତ୍ରଙ୍କୁ ଟିକେଟ ବଣ୍ଟନ ଦାୟିତ୍ୱ ଦେଇଛି ବୋଲି ଚର୍ଚ୍ଚା ହେଉଛି । ଏଥିପାଇଁ ବିଧାୟକ ସମର୍ଥକ ମାନେ ଟିକେଟରୁ ବଞ୍ଚିତ ହୋଇ ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓଲ୍ହାଇଛନ୍ତି । ଏଥିରୁ ବିଜେଡ଼ିର ଗୋଷ୍ଠୀ କନ୍ଦଳ ସ୍ପଷ୍ଟ ବାରି ହୋଇଯାଉଛି । ବିଜେଡ଼ି ଗଡ଼ରୁ ଦଳୀୟ ଟିକେଟରେ ମହେଶ୍ବର ଦାସ ଲଢ଼ୁଥିବା ନେଇ ବିଜୟୀ ଲାଭ କରିବେ ବୋଲି ଆଶା ବାନ୍ଧିଛନ୍ତି । ଅନ୍ୟପଟେ ଟିକଟରୁ ବଞ୍ଚିତ ତ୍ରୈଲୋକ୍ୟ ମଙ୍ଗରାଜ ସ୍ବାଧୀନ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଦୀର୍ଘ ଦିନର କର୍ମୀ ଓ ୧୦ ବର୍ଷ ଧରି ଲୋକଙ୍କ ସେବା କରିବା ସହ ଆଇନଜୀବୀ ଭାବେ ସେ ଅଞ୍ଚଳରେ ସେ ବେଶ ପରିଚିତ। ଏହାକୁ ମୁଖ୍ୟ ଅସ୍ତ୍ର ଭାବେ ପ୍ରୟୋଗ କରି ନିର୍ବାଚନ ବୈତରଣୀ ପାର ହେବା ପାଇଁ ତ୍ରୈଲୋକ୍ୟ ଆଶା ରଖିଛନ୍ତି। ଦେଖାଯାଉ ଏବେ ବିଜେଡ଼ିର ଦୁଇ ଗୋଷ୍ଠୀ କନ୍ଦଳ ମଧ୍ୟରୁ କିଏ ବାଜିମାତ କରୁଛି ।

Leave a comment