୨୪ଟି ଚୋରା ବାଇକ୍ ଜବତ , ୭ ଗିରଫ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଗଜପତିର ସେରଙ୍ଗ ପୋଲିସ ଦ୍ବାରା ୨୪ଟି ଚୋରା ବାଇକ ଜବତ ହେବା ସହ ୭ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଗଜପତି ଏସପି ଜୟରାମ ଶତପଥୀ । ଖଜୁରୀପଦା ଫାଣ୍ଡି ପୋଲିସ ଗୁରୁବାର ଗାଡି ତନଖି ସମୟରେ ସନ୍ଦେହଜନକ ଭାବରେ ଗୋଟିଏ ଗ୍ଲାମର ବାଇକକୁ ଯାଞ୍ଚ କରିଥିଲା । ଯାଞ୍ଚରୁ ଗାଡି ଚାଳକ ଓ ଗାଡିର ଦସ୍ତାବିଜର ଉଲ୍ଲେଖ ମାଲିକଙ୍କ ନାମ ମେଳ ନଖାଇବାରୁ ପୋଲିସ ତଦନ୍ତ କରି ଚୋରା ବାଇକ୍ ବୋଲି ପୋଲିସ ଜାଣିବାକୁ ପାଇଥିଲା । ଏହାକୁ ଭିତ୍ତିକରି ପୋଲିସ ଅଧିକ ତଦନ୍ତ କରିବା ପରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଜଣେ ଅଭିଯୁକ୍ତ ସୁଶାନ୍ତ ସାମଲ ଯିଏକି ନକଲି ଦସ୍ତାବିଜ ପ୍ରସ୍ତୁତ କରି ଚୋରା ଗାଡି ବିକ୍ରି କରୁଥିବା ଜାଣିବାକୁ ପାଇଥିଲା । ଏହାପରେ ଏହି କାରବାରରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନେ ପୋଲିସ ତଦନ୍ତ ସମୟରେ ଗିରଫ କରିଥିବା ସୂଚନା ଦେଇଛନ୍ତି ଗଜପତି ଏସପି ଜୟରାମ ଶତପଥୀ । ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲାର ହରି ଦଳବେହେରା , ସୁଶାନ୍ତ ସାମଲ, ରାୟଗଡା ଜିଲ୍ଲାର ଶ୍ରୀକାନ୍ତ ପାଳ, ଅଭିନାସ ଶବର, ଶରତ ଶବର, ପାରଳାଖେମୁଣ୍ଡିର ଭାଗେଶ୍ବର ଅଧିକାରୀ, ସେରଙ୍ଗ ଅଞ୍ଚଳର ଇସ୍ରାଏଲ ରଈତଙ୍କୁ ପୋଲିସ ଗିରଫ କରିବା ସହ ୨୪ଟି ଚୋରା ବାଇକ ଜବତ କରିଛି ସେରଙ୍ଗ ପୋଲିସ । ତଦନ୍ତ ଜାରି ରହିଛି ଆହୁରି କିଛି ଲୋକ ଏହି ଘଟଣାରେ ସଂପୃକ୍ତ ଥିବା ଏସପି କହିଛନ୍ତି ।