ବାଇଗଣ ଖାଇଲେ ହୋଇପାରେ ଏହି ସମସ୍ୟା!

0

ବାଇଗଣ ଏମିତି ଏକ ପରିବା ଯାହା ଅଧିକାଂଶ ଲୋକ ଖାଇବାକୁ ପସନ୍ଦ କରନ୍ତି । ବାଇଗଣ କୁ ସମସ୍ତ ତରକାରୀ ଓ ଡ଼ାଲମାରେ ମଧ୍ୟ ପଡ଼ିଥାଏ । ବାଇଗଣ ପୋଡ଼ିକି ତାକୁ ପିଆଜ ଲଙ୍କା ଓ ଶୋରିଷ ତେଲ ଦେଇ ଚକଟି ଦେଲେ କଂସାଏ ପଖାଳ ଖାଇଦେବେ । ଏହା ଓଡ଼ିଆ ମାନଙ୍କର ବହୁ ପ୍ରିୟ ଖାଦ୍ୟ । ବାଇଗଣ ଖାଇବାର ଅନେକ ଫାଇଦା ରହିଛି, ଯାହାକୁ ଅଣଦେଖା କରିବା ଅସମ୍ଭବ। କିନ୍ତୁ କିଛି ଲୋକ ବାଇଗଣକୁ ଗୁଣ ନଥିବା ପରିବା ମଧ୍ୟ କହିଥାନ୍ତି। ଏହାର କାରଣ ହେଉଛି ବାଇଗଣର କେତେକ କ୍ଷତିକାରଣ ଗୁଣ ରହିଛି। କିଛି ଲୋକଙ୍କ ଠାରେ ବାଇଗଣ ଖାଇବା ପରେ କୁଣ୍ଡାଇ ହେବା, ନାଲି ନାଲି ଫଳିଯିବା, କିଡ୍‌ନୀ ପଥରୀ ଓ ଲୋକ ବ୍ଲଡ ସୁଗାର ଆଦି ସମସ୍ୟା ଦେଖାଦିଏ। ଏହା ବାଇଗଣରେ ଥିବା ତତ୍ତ୍ୱ ଯୋଗୁ ହୋଇଥାଏ, ଯାହା ରୋଗକୁ ବୃଦ୍ଧି କରେ। ତେବେ ଆଜି ଆସନ୍ତୁ ଜାଣିବା ବାଇଗଣ ଖାଇବାର କେତେକ ସାଇଡ୍‌ ଇଫେକ୍ଟ ବିଷୟରେ…

ସ୍କିନ୍‌ ଆଲର୍ଜି:
ବାଇଗଣ ଖାଇବା ଦ୍ୱାରା ଅଧିକାଂଶ ଲୋକଙ୍କ ଠାରେ ତ୍ୱଚା ସମ୍ବନ୍ଧୀୟ ଆଲର୍ଜି ଯଥା- ନାଲି ନାଲି ଫଳିଯିବା, କୁଣ୍ଡାଇ ହେବା, ଜିଭରେ ଦାନା ଦାନା ହୋଇ ଫଳିଯିବା, ବାନ୍ତି ହେବା ଆଦି ସମସ୍ୟା ଦେଖାଦିଏ। ଯେଉଁ ଲୋକଙ୍କ ଠାରେ ଏସବୁ ସମସ୍ୟା ଦେଖାଦେଉଛି, ଡାକ୍ତର ତାଙ୍କୁ ବାଇଗଣ ଖାଇବାରୁ ବିରତ ରହିବାକୁ ପରାମର୍ଶ ଦେଇଥାନ୍ତି।

ଫୁଡ୍‌ ପଏଜନିଂ:
ବାଇଗଣ ନାଇଟ୍ରେଟ୍‌ର ଏକ ଭଲ ସ୍ରୋତ, ଯାହା ପେଟରେ ସ୍ୱତଃପ୍ରବୃତ୍ତ ଭାବେ ନାଇଟ୍ରାଇଟ୍‌ରେ ପରିବର୍ତ୍ତିତ ହୋଇଯାଏ। ପରେ ଏହି ନାଇଟ୍ରେଟ୍‌ ପ୍ରୋଟିନ୍‌ ଆମିନୋ ଏସିଡ୍‌ ସହ ପ୍ରତିକ୍ରିୟା କରିଥାଏ ଓ ନାଇଟ୍ରୋସାମାଇନ୍‌ ପ୍ରସ୍ତୁତ କରିଥାଏ। ଏହା ପ୍ରାକୃତିକ ରୂପେ ପରିବର୍ତ୍ତିତ ନାଇଟ୍ରୋସାମାଇନ୍‌ ଫୁଡ୍‌ ପଏଜନିଂର କାରଣ ହୋଇପାରେ। ଏଣୁ ଖାସ୍‌ କରି ଛୋଟ ପିଲାଙ୍କୁ ବାଇଗଣ ଖାଇବାକୁ ଦିଅନ୍ତୁ ନାହିଁ।

ପେଟ ସମସ୍ୟା:
ବାଇଗଣରେ ପୋଟାସିୟମ୍‌ ଓ ଫାଇବରର ମାତ୍ରା ଅଧିକ ପରିମାଣରେ ରହିଥାଏ। ଏହାକୁ ଅଧିକ ସେବନ କଲେ ମେଟାବଲିଜିମ୍‌ ଖରାପ ହୋଇପାରେ। ମାତ୍ରାଧିକ ପୋଟାସିୟମ୍‌ ପେଟ ଖରାପ କରିପାରେ ଓ ବାନ୍ତିର କାରଣ ବି ବନିପାରେ। ଏଣୁ ବାଇଗଣ ଖାଇବା ପୂର୍ବରୁ ସତର୍କ ରୁହନ୍ତୁ।

ମାସିକ ଧର୍ମ ତ୍ୱରାନ୍ଵିତ ହୋଇଥାଏ:
ବାଇଗଣରେ ଥିବା ତତ୍ତ୍ୱ ମାସିକ ଧର୍ମକୁ ତ୍ୱରାନ୍ଵିତ କରିଥାଏ। ଏଣୁ ଖାସ୍‌ କରି ଗର୍ଭବତୀ ମହିଳାଙ୍କୁ ବାଇଗଣ ଖାଇବାକୁ ବାରଣ କରାଯାଏ।

ଗ୍ୟାସ୍‌ ସମସ୍ୟା:
ବାଇଗଣ ସେବନ କରିବା ଦ୍ୱାରା କିଛି ଲୋକଙ୍କ ଠାରେ ଏସିଡିଟି ସମସ୍ୟା ଦେଖାଦିଏ। ଏହି କାରଣରୁ ଗର୍ଭାବସ୍ଥାରେ ବାଇଗଣକୁ ନ ଖାଇବାକୁ ପରାମର୍ଶ ଦିଆଯାଏ। ଏଥିସହ କିଛି ଲୋକଙ୍କ ଠାରେ ଖାଲି ପେଟରେ କିମ୍ବା ରାତିରେ ବାଇଗଣ ଖାଇବା ପରେ ଏସିଡିଟି ସମସ୍ୟା ଦେଖାଦିଏ। ଏମାନେ ବାଇଗଣ ଖାଇବାର ଶୈଳୀକୁ ବଦଳାଇବା ଆବଶ୍ୟକ।

Leave a comment