୧୨ ହଜାର ଟଙ୍କାରେ ନବଜାତ ବିକ୍ରି ଘଟଣା, ୫ ଗିରଫ
ନବଜାତ ଶିଶୁକନ୍ୟା ବିକ୍ରି ଘଟଣାରେ ୫ ଜଣକୁ ପୋଲିସ ଗିରଫ କରିଛି। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା କୋତପୁର ପଞ୍ଚାୟତ ସାନରାଇପଡ଼ା ଗାଁରେ ଏହି ଘଟଣା ହୋଇଛି। ମାମଲାରେ ନବଜାତ ଶିଶୁକନ୍ୟାର ବାପା ସହ ମଧ୍ୟସ୍ଥତା କରିଥିବା ଅଙ୍ଗନୱାଡ଼ି କର୍ମୀ, ତାଙ୍କ ଭାଇ ଏବଂ ଶିଶୁକୁ କିଣିଥିବା ଦମ୍ପତିଙ୍କୁ ଗିରଫ କରିଛି ପୋଲିସ । ସୂଚନାଯୋଗ୍ୟ, ଗତ ୨୭ ତାରିଖରେ ସାନରାଇପଡା ଗାଁର ନଟବର ବେହେରାଙ୍କ ପତ୍ନୀ କାଞ୍ଚନ ଧର୍ମଶାଳା ମେଡିକାଲରେ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ । ଉତ୍କଟ ଦାରିଦ୍ର୍ୟତା ସହ ଯୁଝୁଥିବା ଗରିବ ନଟବର ୧୨ ହଜାର ଟଙ୍କାରେ ନବଜାତ ଶିଶୁକନ୍ୟାକୁ ବିକି ଦେଇଥିଲେ । ଶିଶୁକନ୍ୟାକୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ଜନୈକ ଦମ୍ପତି କିଣିଥିଲେ । ଏହି ଘଟଣା ଜଣାପଡ଼ିବା ପରେ ଚାଞ୍ଚଲ୍ୟ ଖେଳି ଯାଇଛି।
ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶିଶୁକନ୍ୟାର ବାପାମାଆଙ୍କୁ ପଚରାଉଚରା କରିବା ସହ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଧର୍ମଶାଳା ପୋଲିସ ଶିଶୁକନ୍ୟାକୁ ଉଦ୍ଧାର କରିବା ସହ ଘଟଣାରେ ୫ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।