ଅରିନ୍ଦମ-ପ୍ରବୀର ମେମୋରିଆଲ କପ, ପୋଲିସକୁ ହରାଇଲା ମିଡ଼ିଆ ଟିମ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କମିଶନରେଟ ପୋଲିସ ପକ୍ଷରୁ ଆୟୋଜିତ ‘ଅରିନ୍ଦମ-ପ୍ରବୀର ମେମୋରିଆଲ ଟେନିସ କ୍ରିକେଟ କପ’ ଟୁର୍ଣ୍ଣାମେଂଟରେ ଆୟାଜକ ପୋଲିସ ଟିମକୁ ହରାଇ ଭୁବନେଶ୍ୱର ମିଡ଼ିଆ (ପ୍ରିଂଟ ଓ ଇଲେକଟ୍ରନିକ) ଚାମ୍ପିୟନ ହୋଇଛି । ଦୁଇଟି ପୃଥକ ମିଡ଼ିଆ ଟିମ ବିଜୟ ଲାଭ କରି ଅରିନ୍ଦନ ଓ ପ୍ରବୀର କପ ହାସଲ କରିଛନ୍ତି ।
କମିଶନରେଟ ପୋଲିସ ପକ୍ଷରୁ ରବିବାର ରିଜର୍ଭର୍ ପୋଲିସ ଗ୍ରାଉଣ୍ଡରେ ଆୟୋଜିତ ‘ଅରିନ୍ଦମ-ପ୍ରବୀର ମେମୋରିଆଲ ଟେନିସ କ୍ରିକେଟ କପ’ରେ ୪ଟି ଟିମ ଭାଗ ନେଇଥିଲେ । ଅତିରିକ୍ତ ପୋଲିସ କମିଶନର, ଡିସିପି ଭୁବନେଶ୍ୱର, ପ୍ରିଂଟ ଓ ଇଲେକଟ୍ରନିକ ମିଡ଼ିଆ ନାଁରେ ୪ଟି ଟିମ ଟୁର୍ଣ୍ଣାମେଂଟରେ ଅଂଶ ଗ୍ରହଣ କରିଥିଲେ । ପ୍ରଥମେ ଅତିରିକ୍ତ ପୋଲିସ କମିଶନର ନୀତିଶେଖରଙ୍କ ଟିମ ଓ ପ୍ରିଂଟ ମିଡିଆ ମଧ୍ୟରେ ଖେଳା ଯାଇଥିଲା । ଅତିରିକ୍ତ ପୋଲିସ କମିଶନରଙ୍କ ଟିମ ଟଚ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ୧୨ ଓଭରରେ ଟିମ ୮ୱିକେଟ ହରାଇ ୮୫ ରନ କରିଥିଲା ।
ଏହାର ଜବାବରେ ବିଭୂଦ ମହାନ୍ତିଙ୍କ ନେତୃତ୍ୱରେ ପ୍ରିଂଟ ମିଡ଼ିଆ ବ୍ୟାଟିଂ ଆରମ୍ଭ କରିଥିଲା । ଦଳ ପକ୍ଷରୁ ହିତେଶ ଓ ସୁମିତଙ୍କ ଯୋଡି ପ୍ରଥରୁ ଦମଦାର ପ୍ରଦର୍ଶନ କରିଥିଲା । ଫଳରେ ଦଳ ମାତ୍ର ଦୁଇ ୱିକେଟ ହରାଇ ୫ ଓଭରରେ ବିଜୟ ଲକ୍ଷ୍ୟ ପାର କରିଥିଲା । ଦଳ ପକ୍ଷରୁ ସୁମିତ ସର୍ବାଧିକ ରନ କରି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ପ୍ରିଂଟ ମିଡ଼ିଆର ଦମଦାର ଖେଳ ଉପସ୍ଥିତି ଦର୍ଶକଙ୍କ ମନମୁଗ୍ଧ କରିଥିଲା ।
ପରେ ‘ଡିସିପି ଟିମ’ ଓ ଇଲେକ୍ଟୋନିକ ଟିମ ମଧ୍ୟରେ ଖେଳା ଯାଇଥିଲା । ଡିସିପିଙ୍କ ନେତୃତ୍ୱରେ ଟିମ ଟଚ ଜିତି ବ୍ୟାଟିଂ ନେଇଥିଲା । ନିର୍ଦ୍ଧାରିତ ୧୨ ଓଭରରେ ୮ ୱିକେଟ ହରାଇ ୭୫ ରନ କରିବାରେ ସକ୍ଷମ ହୋଇଥିଲା । ଟିମର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ତଥା ଏସିପି ସଞ୍ଜୀବ ଶତପଥିଙ୍କ ୱିକେଟ ପଡିବା ପରେ ଦଳ ଏକ ପ୍ରକାର ଭୂଷୁଡି ପଡିଥିଲା । ଫଳରେ ଦଳ ଦମଦାର ଖେଳ ଦେଖାଇବାରେ ବିଫଳ ହୋଇଥିଲା ।
ଏହାର ଜବାବରେ ଇଲେକ୍ଟ୍ରୋନିକ ଟିମ ଅଧିନାୟକ ନିରୋଦ ପଟ୍ଟନାୟକଙ୍କ ନେତୃତ୍ୱରେ ଖେଳ ଆରମ୍ଭ କରିଥିଲା । ଦଳ ପ୍ରଥମରୁ ଭଲ ପ୍ରଦର୍ଶନ କରିବା ଆଶା କରାଯାଉଥିଲା । ମାତ୍ର ଡିସିପି ଟିମର ଧୂଆଁଧାର ବୋଲରଙ୍କୁ ସାମ୍ନା କରିବା ଏତେ ସହଜ ନଥିଲା । ଡିସିପି ଉମାଶଙ୍କର ଦାସ, ଏସିପି ଅରୁଣ ସ୍ୱାଇଁ, ଏସଆଇ ଜ୍ୟୋତିଙ୍କ ସମେତ ଏକାଧିକ ବୋଲର ଇଲେକ୍ଟ୍ରୋନିକ ଟିମକୁ ଚାପରେ ରଖିଥିଲେ । ଇଲେକ୍ଟ୍ରୋନିକ ଟମର ମିଡିଲ ଅର୍ଡର ବେଶୀ ସମୟରେ କ୍ରିଜରେ ତିଷ୍ଠି ପାରିନଥିଲେ । ହେଲେ ଶେଷ ଆଡକୁ ମ୍ୟାଚ ସଂଘର୍ଷପୂର୍ଣ୍ଣ ହୋଇଯାଇଥିଲା । ଶେଷରେ ଇଲେକ୍ଟ୍ରୋନିକ ମିଡ଼ିଆ ୧୧ ଓଭରରେ ୭ ୱିକେଟ ହରାଇ ୭୬ ରନ କରି ବିଜୟ ହାସଲ କରିଥିଲା ।
ମ୍ୟାଚ ପରେ ଡିସିପି ଉମାଶଙ୍କର ଦାସ ଓ ବରିଷ୍ଠ ପୋଲିସ ଅଧିକାରୀମାନେ ବିଜୟୀ ଟିମକୁ ଟ୍ରଫି ପ୍ରଦାନ କରିଥିଲେ । ଏହି ଅବସରରେ ଡିସିପି କହିଥିଲେ, ରାଜ୍ୟର ଦୁଇ ଉଦୟମାନ ସାମ୍ବାଦିକଙ୍କ ଅକାଳ ବିୟୋଗକୁ ଆମେ ସହଜରେ ଭୂଲି ପାରିବା ନାହିଁ । ତେଣୁ ସେମାନଙ୍କୁ ମନେ ରଖିବା ପାଇଁ ପ୍ରତିବର୍ଷ ଏଭଳି ମ୍ୟାଚର ଆୟୋଜନ ହେବାର ଆବଶ୍ୟକତା ରହିଛି । ଆଶା କରୁଛି ଏହିଭଳି ପ୍ରତିବର୍ଷ କରାଯିବ । ଏହି ମ୍ୟାଚକୁ ରାଜ୍ୟ ଟେନିସ କ୍ରିକେଟ ବଲ ବୋର୍ଡ ପରିଚାଳନା କରିଥିଲା । ଏହି ଟୁର୍ଣ୍ଣାମେଂଟରେ ଭୁବନେଶ୍ୱରର ସମସ୍ତ ଥାନା ଅଧିକାରୀ, ଏସିପି, ଅତିରିକ୍ତ ଡିସିପିଙ୍କ ସମେତ ବହୁ ପୋଲିସ ଅଧିକାରୀ ଏବଂ ସମସ୍ତ ସାମ୍ବାଦିକ ଯୋଗ ଦେଇଥିଲେ ।
ଉଲ୍ଲେଖଥାଉ କି, ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ ମହାମାରୀ କରୋନାରେ ପୀଡିତ ହୋଇ ପରଲୋକ ଗମନ କରିଥିଲେ । ସେହିପରି ହାତୀ ଉଦ୍ଧାରର ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ମୁଣ୍ଡୁଳି ଟ୍ରାଜେଡିରେ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ମୃତ୍ୟୁ ଘଟିଥିଲା ।