ରସଗୋଲା ଭୋଗ କରିବା ପରେ ଔଷଧ ଦୋକାନମାନଙ୍କରେ ଲୁଟ୍

0

ଓଡିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ରେ ଗତ ୨୦ ତାରିଖରୁ ଔଷଧ ଦୋକାନ ମାନଙ୍କରେ ହେଉଥିବା ଲୁଟ୍ ଘଟଣାର ଆଜି ପର୍ଦାଫାସ ହୋଇଛି। ଘଟଣାରେ ଜଡ଼ିତ ୪ ଜଣ ଆନ୍ତଃରାଜ୍ୟ ଅପରାଧୀଙ୍କୁ ଆଜି ଗିରଫ କରାଯାଇଛି। ସେମାନଙ୍କ ଠାରୁ ନଗଦ ୩୯,୦୦୦ ଟଙ୍କା, ଗୋଟିଏ ଆଧାର କାର୍ଡ, ୨ଟି ଭୋଟର ଆଇଡି କାର୍ଡ, ୪ଟି ମୋବାଇଲ୍ ଜବତ କରାଯିବା ସହ ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ।

ସୂଚନା ଅନୁଯାୟୀ, ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ରାଜୁ ଓରଫ୍ ରାଜୁ ସିଂ ଜଣେ ରଙ୍ଗ ମିସ୍ତ୍ରୀ। ସେ ୧୦ ବର୍ଷ ହେଲା କଲିକତାରେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲେ। ଲକଡାଉନ୍ ହେବା ପରଠାରୁ କୌଣସି କାମ ନମିଳିବାରୁ ସେ ତାଙ୍କର ନିମ୍ନ ସହଯୋଗୀଙ୍କ ସହ ବେଣ୍ଡିଲ ରେଳ ଷ୍ଟେସନରୁ ହାୱଡା ରେଳ ଷ୍ଟେସନରେ ଆସି ଗତ ୧୨ ତାରିଖରେ ବ୍ରହ୍ମପୁରରେ ପହଞ୍ଚିଥିଲେ। ସେଠାରେ ବସ୍ ଷ୍ଟାଣ୍ଡ ପାଖ ଏକ ହୋଟେଲରେ ରହି ଏକ ଲେଡିଜ୍ କର୍ନର ଏବଂ ପୁରୁଣା ବସ୍ ଷ୍ଟାଣ୍ଡ ପାଖ ଏକ ଔଷଧ ଦୋକାନରୁ ଲୁଟ କରି ୧୭ ତାରିଖ ସକାଳେ ବସ୍ ଯୋଗେ ଭୁବନେଶ୍ୱରରେ ପହଞ୍ଚିଥିଲେ। ଭୁବନେଶ୍ଵରର ରେଳ ଷ୍ଟେସନ ପାଖ ଏକ ଗେଷ୍ଟ ହାଉସରେ ୨ଟି ରୁମ୍ ନେଇ ରହିବାର ୩ ଦିନ ପରେ ସେମାନେ ହୋଟେଲ ବଦଳି କରିଥିଲେ। ସେମାନେ ୨୦ ତାରିଖରେ ବଡଗଡ, ୨୧ ତାରିଖରେ ନୟାପଲ୍ଲୀ, ୨୨ ତାରିଖରେ ଶ୍ରୀଲିଙ୍ଗରାଜ ଏବଂ ୨୪ ତାରିଖରେ ଖାରବେଳ ନଗର ଥାନା ଅଞ୍ଚଳ ବିଭିନ୍ନ ଔଷଧ ଦୋକାନରୁ ଠକାମୀ କରି ଲୁଟ୍ କରିଥିଲେ। ସ୍ପେସାଲ୍ ସ୍କ୍ୱାର୍ଡ ସହାୟତାରେ ଆଜି ଏହି ଅଭିଯୁକ୍ତମାନେ ଧରାପଡ଼ିବା ପରେ ଏହି ଘଟଣାର ପର୍ଦ୍ଦାଫାଶ ହୋଇଛି।

ସୂଚନା ଯୋଗ୍ୟ ଯେ, ଏହି ଲୁଟେରାମାନେ ଲୁଟ କରିବାକୁ ଯିବା ପୂର୍ବରୁ ଠାକୁରଙ୍କ ନିକଟରେ ରସଗୋଲା ଭୋଗ ଲଗାଇଥାନ୍ତି । ଏମାନେ ଗ୍ରାହକଭାବେ ଆସି ଲୁଟ କରନ୍ତି। ପ୍ରଥମେ ସେମାନେ ଏକ ନିର୍ଦ୍ଧିଷ୍ଟ ଦୋକାନକୁ ଅନୁଧ୍ୟାନ କରନ୍ତି। ତା ପରେ ଲୁଟେରାଙ୍କ ମଧ୍ୟରୁ ପୂର୍ବ ଯୋଜନା ମୁତବକ ଦୋକାନକୁ ଔଷଧ କିଣିବା ଆଳରେ ଆସନ୍ତି ଏବଂ ଔଷଧ ର ପ୍ରକୃତ ମୂଲ୍ୟରୁ କମ ମୂଲ୍ୟ ଦେଇ ପାଟିତୁଣ୍ଡ କରିବା ସହିତ ଖସି ପଳାଇ ଯାଆନ୍ତି । ବଳକା ଟଙ୍କା ଆଣିବା ପାଇଁ ଦୋକାନୀ ତାଙ୍କ ପଛରେ ଯିବା ବେଳେ ପୂର୍ବରୁ ଛକି ରହିଥିବା ଅନ୍ୟ ଜଣେ ଲୁଟେରା ଦୋକାନରେ ପଶି କ୍ୟାଶ କାଉଣ୍ଟର ରୁ ଟଙ୍କା ନେଇ ଘଟଣା ସ୍ଥଳରୁ ପଳାଇଯାଆନ୍ତି । ସେହିପରି ସମାନ ଢଙ୍ଗରେ ଅନ୍ୟ ଦୋକାନ ଗୁଡିକୁ ମଧ୍ୟ ଏହି ଦଳ ଲୁଟ କରିଛନ୍ତି ।

ଘଟଣାର ମାଷ୍ଟର ମାଇଣ୍ଡ ରାଜୁ ସିଂ ୧୪ ବର୍ଷ ହେଲା ବିବାହିତ। ବିବାହ ପୂର୍ବରୁ ସେ ପଶ୍ଚିମବଙ୍ଗର ଚବିଶ ପ୍ରଗଣା ଜିଲ୍ଲାର ବେଲଘରିଆ ଏବଂ ଥାକୁଡ଼ିଆ ଥାନାରେ ଏହିପରି ସମାନ ୪ଟି ମାମଲାରେ ଜେଲ୍ ଯାଇଥିଲେ। ଲୁଟ୍ କରିଥିବା ସମସ୍ତ ଟଙ୍କା ସେ ତାଙ୍କ ଆକାଉଣ୍ଟରେ ଜମା କରନ୍ତି ଏବଂ ତାଙ୍କ ସହଯୋଗୀମାନେ ତାଙ୍କ ଘରକୁ ଯାଇ ସେମାନଙ୍କର ଭାଗ ଟଙ୍କା ଆଣିଥାନ୍ତି। ଗ୍ୟାଙ୍ଗର ସମସ୍ତ ସଦସ୍ୟଙ୍କର ଶିକ୍ଷାଗତ ଯୋଗ୍ୟତା ସପ୍ତମ ଶ୍ରେଣୀ ହୋଇଥିବା ବେଳେ ସମସ୍ତେ ଦିନ ମଜୁରିଆ ଏବଂ ରଙ୍ଗ ମିସ୍ତ୍ରୀ କାମ କରନ୍ତି। ଏହି ମାମଲା ସବୁର ତଦନ୍ତ ଚାଲୁ ରହିଛି ଓ ଅନ୍ୟ ସହଯୋଗୀମାନଙ୍କୁ ଧରିବା ପାଇଁ ଉଦ୍ୟମ ଜରି ରହିଛି।

Leave a comment