ଥାନାରେ ଜୁଏଲ ଓରାମଙ୍କ ନାଁ ରେ ଅଶ୍ଲୀଳ ଇଙ୍ଗିତ ଅଭିଯୋଗ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବର୍ତ୍ତମାନ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ଉଷ୍ମ ଥିବା ବେଳେ ଏକ ସାଂଘାତିକ ଅଭିଯୋଗ ଆସିଛି ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ନାଁ ରେ । ସୁନ୍ଦରଗଡ଼଼ର ସାଂସଦ ଜୁଏଲ ଓରାମଙ୍କ ନାଁ ରେ ଦଳର ଜଣେ ମହିଳା କର୍ମୀ ଅଶାଳୀନ ବ୍ୟବହାର ନେଇ ଅଭିଯୋଗ ଆଣିଛନ୍ତି । ଉକ୍ତ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ସାଂସଦ ଜୁଏଲ ଓରାମ ତାଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ସହ ଅଶାଳୀନ ବ୍ୟବହାର କରିଛନ୍ତି । ଏନେଇ ସେ ଝିରପାଣି ଥାନାରେ ସାଂସଦଙ୍କ ବିରୋଧରେ ଏତଲା ଦେଇଛନ୍ତି। ଏହି ଘଟଣା ବର୍ତ୍ତମାନର ରାଜନୀତିକୁ ନୂତନ ଖୋରାକ ଯୋଗାଇଛି ।
ସୂଚନା ଅନୁଯାୟୀ, ଝିରପାଣି ନିକଟ ମିଟକୁନ୍ଦୁରି ଗାଁର ମୂଳ ବାସିନ୍ଦା ଗୋରୀ ମୁଣ୍ଡାରୀ ୨୦୧୮ ମସିହାରୁ ବିଜେପି ଦଳରେ ଜଣେ ସାଧାରଣ କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି। ସାଂସଦ ଶ୍ରୀ ଓରାମ ତାଙ୍କୁ ଶ୍ରମ ବିଭାଗରେ ନିଜ ପ୍ରତିନିଧି ଭାବରେ ନିଯୁକ୍ତି ଦେଇଛନ୍ତି। ପଞ୍ଚାୟତ ନିର୍ବାଚନ ପାଇଁ ଜଗଦା ଓ ଝିରପାଣି ଅଞ୍ଚଳରେ ପ୍ରଚାର ତତ୍ତ୍ୱାବଧାନ କରିବା ପାଇଁ ସୋମବାର ଶ୍ରୀ ଓରାମ ରାଉରକେଲା ଆସିବାର କାର୍ଯ୍ୟକ୍ରମ ରହିଥିଲା। ଏ ସମ୍ପର୍କରେ ଆଲୋଚନା ପାଇଁ ଗୋରୀ ସାଂସଦ ଶ୍ରୀ ଓରାମଙ୍କୁ ଫୋନ କରିଥିଲେ। ଗୋରୀଙ୍କ ଫୋନ୍ ଉଠାଇବା ପରେ ଜୁଏଲ ତାଙ୍କ ସହ ଅଶାଳୀନ କଥାବାର୍ତ୍ତା କରିବା ସହ ଅଶ୍ଳୀଳ ଇଙ୍ଗିତ ଦେଇଥିଲେ। ଯୁବତୀଙ୍କ ସହ ଜୁଏଲଙ୍କ ବାର୍ତ୍ତାଳାପର ଅଡ଼ିଓ ଭାଇରାଲ ହୋଇଛି। ନିଜ ଦଳର ମହିଳା କର୍ମୀଙ୍କୁ ସାଂସଦ ଜୁଏଲ ଓରାମଙ୍କ ଏପରି ଆଚରଣ ପ୍ରଦର୍ଶନ ଘଟଣା ସୁନ୍ଦରଗଡ଼଼ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଜୁଏଲଙ୍କ ଜଣେ ମହିଳା ସହକର୍ମୀ ତଥା ଦଳୀୟ କାର୍ଯ୍ୟକର୍ତ୍ତା ସେବତୀ ନାୟକ ପୀଡ଼ିତା ଗୋରୀଙ୍କୁ ଫୋନ୍ କରି ଜୁଏଲ ‘ସକାଳୁ ଟିକେ ଲୋଡ଼୍ ହୋଇ ଯାଇଛନ୍ତି” ବୋଲି ଉଲ୍ଲେଖ କରି ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ତାହା ସଫଳ ହୋଇପାରି ନାହିଁ।
ଅନ୍ୟପକ୍ଷରେ ଗୋରୀ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛନ୍ତି। ଜୁଏଲ୍ ତାଙ୍କର ସ୍ୱାମୀ ନୁହନ୍ତି, କିମ୍ବା ରାଜନୀତି କରୁଥିବା ଝିଅମାନେ ସମସ୍ତେ ଦୁଶ୍ଚରିତ୍ରା ନୁହନ୍ତି ବୋଲି ଉଲ୍ଲେଖ କରି ସାଂସଦ ‘ଲୋଡ଼୍’ ହୋଇ ଗଲେ ବି ମା’ ଭଉଣୀଙ୍କୁ ଚିହ୍ନି ପାରୁ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ମୁଁ ତାଙ୍କ ଝିଅ ସମାନ, ମାତ୍ର ମୋ ପ୍ରତି ଯେଉଁ ବ୍ୟବହାର କରିଛନ୍ତି ତାହା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ଗୋରୀ କହିଛନ୍ତି। ସେ ବିଜେପି ଦଳରେ ମୁହୂର୍ତ୍ତ ଟିଏ ବି ରହିବେ ନାହିଁ ବୋଲି କହିବା ସହ ସେକ୍ଟର ୩ ବିଜେପି କାର୍ଯ୍ୟାଳୟର କବାଟ ଝରକା ଭଙ୍ଗାରୁଜା ମଧ୍ୟ କରିଛନ୍ତି।
ଅପରପକ୍ଷେ ବିଜେପି କାର୍ଯ୍ୟାଳୟରେ ଭଙ୍ଗାରୁଜାକୁ ନେଇ ଜିଲ୍ଲା ବିଜେପି ସଭାନେତ୍ରୀ ଲତିକା ପଟ୍ଟନାୟକ ସେକ୍ଟର ୩ ଥାନାରେ ଗୋରୀଙ୍କ ବିରୋଧରେ ଏତଲା ଦେଇଛନ୍ତି। ଲତିକା କହିଛନ୍ତି ଯେ ଗୋରୀ ଜିଲ୍ଲା ପରିଷଦ ଟିକେଟ୍ ପାଇଁ ଆଶାୟୀ ଥିଲେ, ମାତ୍ର ଟିକେଟ ନ ମିଳିବାରୁ ସେ ପ୍ରତିଶୋଧ ପରାୟଣ ହୋଇ ଏପରି ଭଙ୍ଗାରୁଜା କରିଛନ୍ତି। ମାତ୍ର ଟେଲିଫୋନ୍ରେ ଗୋରୀଙ୍କୁ ଜୁଏଲ୍ ଓରାମ କରିଥିବା ଅଶ୍ଲୀଳ ଆଚରଣ ସମ୍ପର୍କରେ ସେ କିଛି ମତ ପ୍ରକାଶ କରି ନାହାନ୍ତି। ଜୁଏଲଙ୍କ ସହ ତାଙ୍କର ଯୋଗାଯୋଗ ହୋଇ ନ ଥିବାରୁ ସେ ଏ ପ୍ରସଙ୍ଗରେ କିଛି କହିପାରିବେ ନାହିଁ ବୋଲି ଲତିକା କହିଛନ୍ତି।
ଜୁଏଲଙ୍କ ଏପରି ଆଚରଣକୁ ନେଇ ରାଜ୍ୟବ୍ୟାପୀ ମହିଳା ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତିନିଦିନ ତଳେ ମୟୁରଭଞ୍ଜରେ କେନ୍ଦ୍ରମନ୍ତ୍ରୀ ବିଶ୍ଵଶ୍ୱର ଟୁଡୁ ଦୁଇ ଜଣ ସରକାରୀ ଅଧିକାରୀଙ୍କୁ ପିଟି ଜଣକର ହାତ ଭାଙ୍ଗି ଦେଇଥିବା ବେଳେ ସୁନ୍ଦରଗଡ଼ ସାଂସଦଙ୍କ ମହିଳା କର୍ମୀଙ୍କୁ ଅଶ୍ଲୀଳ ଆଚରଣ କରିବା ଘଟଣା ରାଜ୍ୟ ବିଜେପି ପାଇଁ ପଞ୍ଚାୟତ ନିର୍ବାଚନରେ ମହଙ୍ଗା ପଡ଼ିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।