ଆମଦାନୀ ମାଝୀ ଭାରି ପଡିବେ କି ଦଳୀୟ ମାଝୀ ଉପରେ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ଅତି ନିକଟତର ହେଲାଣି । ଗାଁ ଗାଁରେ ନେତା ମାନେ ନିଜ ସମସ୍ତ ଦମ ଲଗାଇବା ଆରମ୍ଭ କଲେଣି । ମାତ୍ର ନବରଙ୍ଗପୁରରେ ସ୍ଥିତି କିଛି ଭିନ୍ନ । ଏଠାରେ କିନ୍ତୁ ଜିଲ୍ଲା ପରିଷଦ ଆସନ କାହାପକ୍ଷରେ ଯିବ ଅଙ୍କକଷା ଅପେକ୍ଷା ଆମଦାନୀ ମାଝୀ ଭାରି ପଡିବେ କି ଦଳୀୟ ମାଝୀ ଉପରେ ବୋଲି ଚର୍ଚ୍ଚା ଜୋର ଧରିଛି । ଚଳିତ ପଞ୍ଚାୟତ ନିର୍ବାଚନ ପରେ ନବରଙ୍ଗପୁରରେ କାହା ପତିଆରା ବୃଦ୍ଧି ପାଇବ ସେନେଇ ଆକଳନ ଆରମ୍ଭ ହୋଇଗଲାଣି । ସେ ଦୁଇ ନେତା ହେଲେ ବିଜୁ ଜନତା ଦଳ ସାଂସଦ ରମେଶ ଚନ୍ଦ୍ର ମାଝୀ ଏବଂ ନିକଟରେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ।
ସାଂସଦ ରମେଶ ଚନ୍ଦ୍ର ମାଝୀ ଯେକି ନବରଙ୍ଗପୁର ଜିଲ୍ଲାରେ ଦୀର୍ଘବର୍ଷ ହେଲା ବିଜେଡିକୁ ସମ୍ଭାଳି ଆସୁଛନ୍ତି । ନବରଙ୍ଗପୁରରେ ବିଜେଡିର ପଡିଆରା ବୃଦ୍ଧି ରମେଶଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ମାତ୍ର ଏହି ପତିଆରା ଏବେ ଭାଗ ହେବା ନେଇ ଚର୍ଚ୍ଚା ହେଉଛି । କାରଣ ବର୍ତ୍ତମାନ ବିଜେଡି ଦଳର ମଙ୍ଗ ଧରିବା ପରେ କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ନିଜ ଅସ୍ତିତ୍ବ ଜାହିର କରିବାକୁ ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରଖିଛନ୍ତି । ମାତ୍ର ପ୍ରଦୀପ ନିଜ ଅନୁଗତକୁ ବିଜେଡ଼ିରେ ଥଇଥାନ କରିବାରେ ବିଫଳ ହୋଇଛନ୍ତି । ଏହାକୁ ନେଇ ଆରମ୍ଭ ହେଲାଣି ଅନ୍ତଃ କନ୍ଦଳ ।
ନବରଙ୍ଗପୁର ରାଜନୀତିରେ ବର୍ତ୍ତମାନ ପ୍ରାର୍ଥୀ ନିଜ ନିଜକୁ ନେଇ ଯେତିକି ବ୍ୟଗ୍ର ଦଳର ପ୍ରମୁଖ ନେତାଙ୍କ ମଧ୍ୟରେ ଦଳରେ ପତିଆରା ବୃଦ୍ଧି ପାଇଁ ତା’ଠାରୁ ଅଧିକ ପ୍ରତିଦ୍ବିତା ଚାଲିଛି । ବିଜେଡିରେ ସାମିଲ ହେବା ପରେ ଦଳରେ ନିଜ ପତିଆରା ବୃଦ୍ଧି ନେଇ ପଞ୍ଚାୟତ ନିର୍ବାଚନ ଏକ ଜଡିତ ପ୍ଲାଟଫର୍ମ ଆଣିଦେଇଛି ପ୍ରଦୀପଙ୍କ ପାଇଁ । ସେପଟେ ନବରଙ୍ଗପୁର ବିଜେଡିର ଅପ୍ରତିଦ୍ବନ୍ଦି ନେତା ପାଲଟି ଯାଇଥିବା ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ସାଂସଦ ନବରଙ୍ଗପୁର ବିଜେଡି ସଭାପତି ରମେଶ ମାଝୀ ମଧ୍ୟ ଦଳରେ ନିଜ ସ୍ଥିତିକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । କାରଣ ଉଭୟ ନେତା, ଗତ ପଞ୍ଚାୟତ ନିର୍ବାଚନରେ ଦୁଇଟି ଜିଲ୍ଲାର ନିର୍ବାଚନ ଦାୟିତ୍ୱରେ କରିଥିଲେ । ଏଥର କିନ୍ତୁ ଗୋଟିଏ ଦଳରେ ରହି ପରସ୍ପରକୁ ସମର୍ଥନ କରିବେ ।
୨୦୧୭ ପଞ୍ଚାୟତ ନିର୍ବାଚନରେ ମାଝୀ ପରସ୍ପର ବିରୋଧରେ ଲଢ଼ିଥିବା ବେଳେ ଉଭୟଙ୍କ ଭିନ୍ନଭିନ୍ନ ଶୈଳୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ୫ ବର୍ଷ ମଧ୍ୟରେ ଅନେକ ସମୀକରଣ ବଦଳିଯାଇଛି । ବର୍ତ୍ତମାନ ନବରଙ୍ଗପୁର ଜିଲା ବିଜେଡି ସଭାପତି ରହିଛନ୍ତି ରମେଶ ମାଝୀ ।
ଅପରପକ୍ଷରେ ପ୍ରଦୀପଙ୍କୁ ବିଜେଡ଼ି ବରିଷ୍ଠ ସାଧାରଣ ସମ୍ପାଦକ ପଦ ଦେଇ ମଇଦାନକୁ ଓଲ୍ଲହିଛି । ଏପରିକି ଦୁହିଁଙ୍କୁ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ପାଇଁ ଦାୟିତ୍ବ ଦିଆଯାଇଛି । ଉଭୟ ଜିଲାର ପ୍ରାର୍ଥୀ ମନୋନୟନଠାରୁ ଆରମ୍ଭ କରି ନିର୍ବାଚନ ପରିଚାଳନାର ସମସ୍ତ ନିଷ୍ପତ୍ତି ନେବେ । ନବରଙ୍ଗପୁର ଜିଲ୍ଲାରେ ବିଜେଡିର ମିଶନ୨୨ ମଧ୍ୟରେ ୨୨କୁ ସଫଳ କରିବା ପାଇଁ ଦୁଇ ମାଝୀଙ୍କୁ ସହଯୋଗ କରିବାକୁ ଗୋଟିଏ ଗୋଷ୍ଠୀ ଗଠନ କରାଯାଇଛି । କାହା ଅନୁଗତ ହାତେଇଛନ୍ତି ବିଜେଡି ଟିକଟ, ଟିକଟ ବଣ୍ଟନରୁ ଆରମ୍ଭ ହୋଇନାହିଁ ତ ଉଭୟ ନେତାଙ୍କ ମଧ୍ୟରେ ଦୂରତା ଏଭଳି ଅନେକ ରାଜନୈତିକ ଚର୍ଚ୍ଚା ନିର୍ବାଚନୀ ବାତାବରଣକୁ ସରଗରମ କରିଛି । ସବୁରି ଦୃଷ୍ଟିରେ ଏବେ ଭାଇଘର ଜିଲ୍ଲା ପରିଷଦ ଜୋନ, ଯାହା ଦୁଇ ମଝିଙ୍କ ପାଇଁ ସମ୍ମାନର ପ୍ରଶ୍ନ । ଏଣେ ବିଜେପି ଓ କଂଗ୍ରେସ ଏଭଳି ପରିସ୍ଥିତିର ଫାଇବା ଉଠାଇବା ଲକ୍ଷ୍ୟରେ ରହିଛନ୍ତି ।
ଏ ନେଇ ପ୍ରଦୀପ ମାଝୀ କହିଛନ୍ତି, “ଆମେ ଦୁଇ ଭାଇ ଆମ ଭିତରେ ସେଭଳି କୌଣସି ମନାନ୍ତର ନାହିଁ । ଆମେ ଦୁଇଜଣ ମିଶି କରି ହିଁ ସବୁକିଛି ନିଷ୍ପତ୍ତି ନେଇଛୁ । ବିଜେଡି ଏକ ବୃହତ ଆଞ୍ଚଳିକ ଦଳ । ଟିକଟ ପାଇଁ ସମସ୍ତଙ୍କ ଆଶା ନିଶ୍ଚିତ ରହିବ । କିଛି ଆଶାୟୀ ଟିକଟ ନ ପାଇ ଅସନ୍ତୁଷ୍ଟ ଥିଲେ । ଆମେ ସେମାନଙ୍କୁ ବୁଝାଇଛୁ । ସେମାନେ ପରବର୍ତ୍ତୀ ସମୟରେ ବୁଝିଯାଇ ପୁଣିଥରେ ଦଳ ପାଇଁ କାମ କରିବାକୁ ମାନି ନେଇଛନ୍ତି । ଆମେ ଆଗାମୀ ଦିନରେ ନିଶ୍ଚିତଭାବେ ଜିଲା ପରିଷଦ ଗଠନ କରିବୁ” । ଜିଲାରେ ରାଜନୈତିକ ବାତାବରଣକୁ ଖରାପ କରିବା ପାଇଁ ବିରୋଧୀ ଚକ୍ରାନ୍ତ କରୁଥିବା ସେ ପାଲଟା ଅଭିଯୋଗ କରିଛନ୍ତି ।