ବଡପୋଖରୀଆ ପଞ୍ଚାୟତ : ନିର୍ଦ୍ୱନ୍ଦ୍ୱରେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର ଚୟନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟର ଅନେକ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳୁଛି । ମାତ୍ର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବଡପୋଖରୀଆ ପଞ୍ଚାୟତ ଆଉ ଇଲେକ୍ସନକୁ ନେଇ ହିଂସା ଦେଖାଦେବନାହିଁ । ସ୍ଥାନୀୟ ସମାଜସେବୀ ସଚ୍ଚିନ୍ ବଳିଆରସିଂ, ସରପଞ୍ଚ ସାଗର ବଳିଆରସିଂ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବଂ ସ୍ଥାନୀୟ କିଛି ସମାଜସେବୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ମାନସ ମନ୍ଥନ । ଏବେ ବିବାଦର ପଡିବ ପୂର୍ଣ୍ଣଛେଦ । ଗାଁରେ ଇଲେକସନ୍ ହୋଇ ସରପଞ୍ଚ ବଛା ସରିଛି । ଏଥିପାଇଁ ଏ ଗାଁ ସାଜିବ ଉଦାହରଣ, ସବୁଠି ହେବ ଚର୍ଚ୍ଚା ଆଉ ଚର୍ଚ୍ଚା ।
ସୂଚନା ଅନୁଯାୟୀ, ଟାଙ୍ଗୀ ବ୍ଲକ ବଡପୋଖରୀଆ ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତ କରିବା ପାଇଁ ଗ୍ରାମର ସମସ୍ତ ଜନସାଧାରଣ ନିଷ୍ପତ୍ତି ନେଇଛନ୍ତି । ଗ୍ରାମରେ ପ୍ରତିଦ୍ୱନ୍ଦ୍ୱିତା ହେବନାହିଁ, ତେଣୁ ଗ୍ରାମ କମିଟି ନିଷ୍ପତ୍ତି ଅନୁସାରେ ଗ୍ରାମର ସରପଞ୍ଚ, ସମିତି, ଓ୍ୱାର୍ଡ ମେମ୍ବର ମଧ୍ୟ ଚୟନ ହେଲେ । ସେହି ଅନୁସାରେ ଚୟନ ହୋଇଥିବା ବ୍ୟକ୍ତି ବିଶେଷମାନେ ହିଁ ପାର୍ଥୀ ପାର୍ଥିନୀ ଭାବେ ପାର୍ଥୀପତ୍ର ଦାଖଲ କରିଛନ୍ତି । ପଞ୍ଚାୟତର ସମସ୍ତ ପ୍ରତିନିଧି ଅପ୍ରତିଦ୍ୱନ୍ଦ୍ନୀ ଭାବେ ନିର୍ବାଚିତ ହୋଇଛନ୍ତି । ଯାହାକି ଖୋର୍ଦ୍ଧା ଜିଲ୍ଲା ଏବଂ ସାରା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ବଡପୋଖରୀଆ ଗାଁରେ ସର୍ବଦା ନିର୍ବାଚନୀ ହିଂସା ଦେଖା ଦେଇଥାଏ । ହେଲେ ଏଥର କିନ୍ତୁ ଓଲଟା ହେଲା । ଗାଁ ଲୋକେ ଏଭଳି ନିଷ୍ପତ୍ତି ନେଲେ ଯାହାକି ସମସ୍ତଙ୍କୁ ଚକିତ କରିଦେଇଛି ।