କୋଟିଆରେ ଇଲେକ୍ସନ ନୁହେଁ ହେବ ସିଲେକ୍ସନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୋଟିଆରେ ଇଲେକ୍ସନ ନୁହେଁ ହେବ ସିଲେକ୍ସନ । ଅର୍ଥାତ ସର୍ବସମ୍ମତିରେ ଚୟନ ହେବେ ଜନ ପ୍ରତିନିଧି । ଆଜି ସର୍ବଦଳୀୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।
ସୂଚନା ଅନୁଯାୟୀ, ଆଜି କୋଟିଆଠାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହାଇଥିଲା । ସେଠାରେ ତିନି ଦଳ ପକ୍ଷରୁ ଗୋଟିଏ ପ୍ରାର୍ଥୀ ଭାବେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ ପାଇଁ ନିଷ୍ପତ୍ତି ହୋଇଛି । ଜଣେ ଶିକ୍ଷିତ ଯୁବତୀଙ୍କୁ ପ୍ରାର୍ଥୀ କରାଯିବା ନେଇ ଏହି ବୈଠକରେ ମତ ପ୍ରକାଶ ପାଇଛି । ଏକତାର ପରିଚୟ ସୃଷ୍ଟି କରିବା ପାଇଁ ସବୁ ଦଳର ଜିଲ୍ଲା ସଭାପତି କହିଛନ୍ତି । ଆନ୍ଧ୍ରର ସବୁ ଦଳର ନେତା ଏକ ହୋଇ କୋଟିଆରେ ଅନୁପ୍ରବେଶ କରୁଛନ୍ତି। ସେହିପରି ଓଡିଶା ଓ କୋରାପୁଟ ଜିଲ୍ଲାର ବିଜେପି, ବିଜେଡି ଓ କଂଗ୍ରେସର ସମସ୍ତ ନେତା ଉପସ୍ଥିତ ରହି ଏକ ସାମୁହିକ ନିଷ୍ପତ୍ତି ଗ୍ରହଣ କରି ଆନ୍ଧ୍ରକୁ ଉଚିତ ଜବାବ ଦେବେ ବୋଲି ନେତା ମାନେ କହିଛନ୍ତି।
ଆଜିର ସର୍ବଦଳୀୟ ବୈଠକରେ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ନେତାମାନେ ଉପସ୍ଥିତ ଥିଲେ। ବିଜେଡିର କୋରାପୁଟ ଜିଲ୍ଲା ସଭାପତି ତଥା ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, କୋଟିଆରେ ସର୍ବସମ୍ମତି କ୍ରମେ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ବଛା ହେବେ। ଏମିତିକି ଜିଲ୍ଲା ପରିଷଦ ସଭ୍ୟ ମଧ୍ୟ ସର୍ବସମ୍ମତିରେ ବଛା ହେବେ। ସବୁ ଦଳର ନେତାଙ୍କ ସହମତିରେ ଏହି ପ୍ରାର୍ଥୀ ଜଣକ ନିର୍ବାଚନରେ ଭାଗ ନେବେ । ତେବେ କିଏ ପ୍ରାର୍ଥୀ ହେବ ସେନେଇ ସବୁ ଦଳର ନେତା ମିଶି ନାମ ଚୟନ କରିବେ । ତେବେ ପ୍ରାଥମିକ ଅବସ୍ଥାରେ ଜଣେ ମହିଳା ଜିଲ୍ଲା ପରିଷଦ ପ୍ରାର୍ଥୀ ହେବା ସ୍ଥିର ହୋଇଛି । ଏହି ବୈଠକରେ ବିଧାୟକ ପିତମ ପାଢୀ, ରଘୁରାମ ପଡାଲ, ବିଜେପି ନେତା ଜୟରାମ ପାଙ୍ଗି, ବିଜେଡି ନେତା ଈଶ୍ୱର ପାଣିଗ୍ରାହୀ, କୋରାପୁଟ୍ ଜିଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ପୂର୍ବତନ ବିଧାୟକ ରାମ କାଡାମ ଓ ପ୍ରଫୁଲ୍ଲ ପାଙ୍ଗି ଉପସ୍ଥିତ ଥିଲେ।