ସମୟପୋଯୋଗୀ ଓ ଦୃଢ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ : ସମୀର ମହାନ୍ତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାମାରୀ କରୋନା ସଂକ୍ରମଣ କାରଣରୁ ଭାରତବର୍ଷ ସମେତ ସମଗ୍ର ବିଶ୍ୱ ଆତଙ୍କିତ ହୋଇପଡିଥିବାବେଳେ ଭାରତବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ବିରୋଧୀ ଲଢେଇର ନେତୃତ୍ୱ ନେଇ ଗୋଟିଏ ଗୋଟିଏ ଦୃଢ ଓ ସମୟପୋଯୋଗୀ ପଦକ୍ଷେପ ଗ୍ରହଣ କରି ଆମ ସମସ୍ତଙ୍କୁ ଆଶ୍ୱସ୍ତି ପ୍ରଦାନ କରିଆସୁଛନ୍ତି । ବର୍ତମାନ ସୁଦ୍ଧା କରୋନା ବିରୁଦ୍ଧ ଲଢେଇରେ କେବଳ ଟୀକାକରଣ ଏକ ପ୍ରମୁଖ ଅସ୍ତ୍ର ଭାବେ ଉଭା ହୋଇଛି । ସମଗ୍ର ବିଶ୍ୱରେ କରୋନା ଟୀକା ଉତ୍ପାଦନକାରୀ ରାଷ୍ଟ୍ର ଭାବେ ଭାରତ ବର୍ଷ ଆଜି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱକୁ କରୋନା ଟୀକା ଯୋଗାଇବାରେ ଅଗ୍ରଣୀ ଭୁମିକା ଗ୍ରହଣ କରିଥିବା ଭାରତବର୍ଷ ଆଜି କରୋନା ଟୀକାକରଣରେ ଏକ ବର୍ଷ ପୁର୍ତି ହୋଇଛି । କରୋନା ଟୀକା ଉଦ୍ଭାବନ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ସମେତ ସମସ୍ତ ବୈଜ୍ଞାନିକ, ଚିକିତ୍ସକ, ନର୍ସ, ପାରାମେଡିକାଲ ଷ୍ଠାଫଙ୍କ କଠିନ ପରିଶ୍ରମ, ନିଷ୍ଠା, ସେବା ମନୋଭାବ କାରଣରୁ ଆଜି ସଫଳତା ମିଳିପାରିଛି ଏବଂ ଏଥି ପାଇଁ ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ।
ଏହି ଅବସରରେ ଶ୍ରୀ ମହାନ୍ତି ଭୂବନେଶ୍ୱର କ୍ୟାପିଟାଲ ହସପିଟାଲସ୍ଥିତ ଟୀକାଦାନ କେନ୍ଦ୍ରକୁ ଯାଇ ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ ଥିବା କାର୍ଯ୍ୟରତ ନର୍ସ, ପାରାମେଡିକାଲ ଷ୍ଠାଫ ଓ ସମ୍ମୁଖ ଯୋଦ୍ଧାଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିଥିଲେ । ବୈଶ୍ୱିକ କରୋନା ମହାମାରୀ ଆରମ୍ଭ ସମୟରେ ଆମ ଦେଶର ସ୍ଥିତି ଭୟାଭୟ ଥିଲା । ସ୍ୱାସ୍ଥ୍ୟ ଭିତିଭୁମି ଅତ୍ୟନ୍ତ ଚିନ୍ତାଜନକ ଥିଲା । ଆମ ପାଖରେ ଶଯ୍ୟା, ପିପିଇ କିଟ୍‌, ଭେଂଟିଲେଟର, ଆଇସିୟୁ ଆଦିର ଅଭାବ ଥିଲା । ଏହି ସମୟରେ କରୋନା ଯୁଦ୍ଧ ବିରୁଦ୍ଧରେ ନେତୃତ୍ୱ ନେଉଥିବା ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଦୁର ଦୃଷ୍ଟି ସଂପନ୍ନ ରଣନୀତି ଏବଂ ଦେଶର ବୈଜ୍ଞାନିକ,
ଚିକିତ୍ସକମାନଙ୍କ ଅକ୍ଳାନ୍ତ ପରିଶ୍ରମ କାରଣରୁ ଦେଶବାସୀ ଆଜି ସୁରକ୍ଷିତ ଅଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଦେଶରେ କୋଭିଡ ଟୀକାକରଣର ଏକ ବର୍ଷ ପୁର୍ତି ହୋଇଛି । ଗତ ବର୍ଷ ଜାନୁଆରୀ ୧୬ ତାରିଖ ଦିନ ସର୍ବପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ଦିଆଯିବା ପରେ ପର୍ଯ୍ୟାୟକ୍ରମେ ଫ୍ରଂଟଲାଇନ କର୍ମଚାରୀ, ବରିଷ୍ଠ ନାଗରିକ, ୪୫ ବର୍ଷରୁ ଉର୍ଦ୍ଧ୍ୱ ନାଗରିକ, ୧୮ ବର୍ଷରୁ ଉର୍ଦ୍ଧ୍ୱଙ୍କ ପାଇଁ ଟୀକାକରଣ କରାଯାଇ ଆଜି ୧୫-୧୮ ବର୍ଷ ଶିଶୁମାନଙ୍କ ପାଇଁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ
ହୋଇଛି । ଏପରିକି ଗତ ୧୦ ତାରିଖରୁ ଦେଶବ୍ୟାପୀ ବରିଷ୍ଠ ନାଗରିକମାନଙ୍କୁ ବୁଷ୍ଟର ଡୋଜ ଟୀକାକରଣ ମଧ୍ୟ ଆରମ୍ଭ
ହୋଇସାରିଛି । ଆଜି ଦେଶରେ ଦୈନିକ ହାରାହାରି ୪୨.୭ ଲକ୍ଷ ଟୀକାକରଣ ହେଉଛି ଏବଂ ଆଜି ସୁଦ୍ଧା ୧୫୬ କୋଟି
ଡୋଜ ଟୀକାକରଣ ସରିଛି । ୬୫ କୋଟିରୁ ଉର୍ଦ୍ଧ୍ୱ ଦେଶବାସୀ ୨ଟି ଡୋଜ ନେଇସାରିଛନ୍ତି । ‘ସର୍ବେ ଭବନ୍ତୁ ସୁଖୀନଃ’ ଏବଂ
‘ବସୁଧୈବ କୁଟୁମ୍ବକମ’ କୁ ମୁଳମନ୍ତ୍ର କରି କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ୯୪ରୁ ଅଧିକ ରାଷ୍ଟ୍ରକୁ ୭୨୩ ଲକ୍ଷରୁ
ଅଧିକ ଟୀକା ଯୋଗାଇ ଦେଇଛନ୍ତି । ଗ୍ରାମୀଣ କୋଭିଡ ଟୀକାକରଣ କେନ୍ଦ୍ରରେ ୯୯ କୋଟିରୁ ଉର୍ଦ୍ଧ୍ୱ ଡୋଜ ଦିଆହୋଇଛି ।
ଆଦିବାସୀ ଜିଲ୍ଲାମାନଙ୍କରେ ୧୧ କୋଟିରୁ ଉର୍ଦ୍ଧ୍ୱ ଡୋଜ ପ୍ରଦାନ ସରିଛି । ଓଡିଶାରେ ବର୍ତମାନ ସୁଦ୍ଧା ପାଖାପାଖି ୫.୫୦ କୋଟି
କୋଭିଡ ଟୀକା ପ୍ରଦାନ କରାଯାଇଛି । ଏହା ନିଶ୍ଚିତ ଭାବେ ଆମ ସମସ୍ତଙ୍କ ପାଇଁ ଖୁସିର ଖବର ଏବଂ ଏଥି ପାଇଁ ପ୍ରଧାନମନ୍ତ୍ରୀ
ଶ୍ରୀ ମୋଦିଙ୍କ ସମେତ ସମସ୍ତ ବୈଜ୍ଞାନିକ, ଚିକିତ୍ସକ, ନର୍ସ, ପାରାମେଡିକାଲ ଷ୍ଠାଫ, ଫ୍ରଂଟଲାଇନ କର୍ମଚାରୀଙ୍କୁ ଶ୍ରୀ ମହାନ୍ତି
କୃତଜ୍ଞତା ଜ୍ଞାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱରେ ଆମେ ନିଶ୍ଚିତ ଭାବେ କରୋନା ବିରୋଧୀ ଲଢେଇରେ ବିଜୟ ଲାଭ କରିବୁ ବୋଲି ଶ୍ରୀ ମହାନ୍ତି ଦୃଢୋକ୍ତି ପ୍ରକାଶ କରିଛନ୍ତି

Leave a comment