ସୁମିତ-ତପସ୍ବିନୀ ବିବାହ ବିବାଦ : ପୁଣି ଛୁଟି ଅବଧି ବଢାଇଲେ ଡାକ୍ତର ସ୍ବାମୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବହୁ ଚର୍ଚ୍ଚିତ ଡାକ୍ତର ସୁମିତ ସାହୁ ଓ ତପସ୍ବିନୀ ଦାସ ବିବାହ ବିବାଦ ଘଟଣାରେ ପୁଣି ନୂଆ ମୋଡ । ପୁଣି ୧୫ଦିନ ଛୁଟି ଅବଧି ବଢାଇଲେ ଡାକ୍ତର ସୁମିତ ସାହୁ । ମାନସିକ ଅବସ୍ଥା ଭଲ ନଥିବାରୁ ଛୁଟି ଅବଧି ବଢାଇ ଥିବା ନେଇ ସୁମିତଙ୍କ ଓକିଲ ସୂଚନା ଦେଇଛନ୍ତି। ଡିସେମ୍ବର ୧୦ରୁ ସେ ଅସୁସ୍ଥତା କାରଣରୁ ଛୁଟିରେ ଥିବାବେଳେ ଜାନୁଆରୀ ୭ରେ ତାଙ୍କ ଛୁଟି ସରିଥିଲା । କିନ୍ତୁ ସେ ଅସୁସ୍ଥ ଥିବା ଦର୍ଶାଇ ଆଉ ୧୫ ଦିନ ଛୁଟି ନେଇଛନ୍ତି । ଜାନୁଆରୀ ୭ରୁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଛୁଟିରେ ରହିବେ । ସେପଟେ ଡାକ୍ତର ସୁମିତଙ୍କ ବାପା ଏପର୍ଯ୍ୟନ୍ତ ଘରକୁ ଫେରିନଥିବା ସୂଚନା ମିଳିଛି ।
ଅନ୍ୟପଟେ ସୋମବାର ତପସ୍ବିନୀ ଶ୍ବଶୁର ଘରେ ରହିବା ପାଇଁ ବ୍ରହ୍ମପୁର ଏସ୍ଡିଜେଏମ୍ କୋର୍ଟରେ ଦାଖଲ ହୋଇଥିବା ପିଟିସନ୍ ଶୁଣାଣି ରହିଛି । ଏସ୍ଡିଜେଏମ୍ କୋର୍ଟ ପୂର୍ବରୁ ଏହି ପିଟିସନ୍ର ଶୁଣାଣି କରି ତପସ୍ବିନୀଙ୍କ ସମସ୍ତ ଦାୟିତ୍ବ ନେବାକୁ ସୁମିତକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସେ କୌଣସି ଦାୟିତ୍ବ ନେଇନଥିଲେ । କୋର୍ଟ ଅବମାନନା କରିବାରୁ ତପସ୍ବିନୀ ଜିଲ୍ଲା କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଜିଲ୍ଲା କୋର୍ଟ ଗତ ୪ ତାରିଖରେ ଏହାର ଶୁଣାଣି କରି ତପସ୍ବିନୀଙ୍କୁ ବ୍ରହ୍ମାନଗର ସ୍ଥିତ ଶ୍ବଶୁର ଘରେ ରହିବାକୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି ବୋଲି ତପସ୍ବିନୀଙ୍କ ଓକିଲ କହିଥିଲେ ।
ଏହି ପିଟିସନ୍ରେ ସୁମିତଙ୍କ ଓକିଲ କାଉଣ୍ଟର ପିଟିସନ୍ ଦେବାକୁ ସମୟ ମାଗିଥିଲେ । ତେବେ ସୋମବାର କାଉଣ୍ଟର ପିଟିସନ୍ ଦେଉଛନ୍ତି କି ନାହିଁ ଜଣାପଡିବ । ଜିଲ୍ଲା କୋର୍ଟ ଏହି ମାମଲାରେ ଏକ ଅନ୍ତରୀଣ ଆଦେଶ ଦେଇଥିବା ଯୋଗୁଁ ଏସ୍ଡିଜେଏମ୍ କୋର୍ଟର ମୂଳ ପିଟିସନ୍ ଶୁଣାଣି କରିବେ ବୋଲି ଆଶା କରାଯାଉଛି ।
ଗତ ୪ ତାରିଖରେ କୋର୍ଟ ତପସ୍ବିନୀଙ୍କୁ ଘରେ ରଖିବା ସହ ପ୍ରତ୍ୟେକ ମାସର ୧୦ ତାରିଖ ମଧ୍ୟରେ ୧୭ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତପସ୍ବିନୀଙ୍କୁ ତାଙ୍କ ସ୍ବାମୀ ସୋମବାର ଟଙ୍କା ଦେଉଛନ୍ତି କି ନାହିଁ ଜଣାପଡିବ । ତେବେ ୧୦ ତାରିଖରେ ଟଙ୍କା ନମିଳିଲେ ପୁଣି କୋର୍ଟଙ୍କ ଦ୍ବାରସ୍ଥ ହୋଇ ପିଟିସନ୍ କରିବେ ବୋଲି କହିଛନ୍ତି ।