ରାଜଧାନୀରେ ଆଉ ୧୧ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଣି ରାଜଧାନୀରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା । ଆଉ ୧୧ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରିଛି ବିଏମସି । ବିଏମସିର ନର୍ଥ ଜୋନରେ ୪ଟି ଓ ଦକ୍ଷିଣପୂର୍ବ ଜୋନରେ ୭ଟି ସ୍ଥାନକୁ କୋଭିଡ୍ କଣ୍ଟେନମେଣ୍ଟ କରାଯାଇଛି । ଘୋଷଣା ଦିନଠାରୁ ୭ ଦିନ ଯାଏ କଟକଣା ବଳବତ୍ତର ରହିବ । ନିଳାଦ୍ରୀ ବିହାର ବୁଦ୍ଧ ପାର୍କ ନିକଟ ୱାର୍ଡ ନମ୍ବର ୧୪ କଣ୍ଟେନମେଣ୍ଟ ଜୋନ୍, ସତ୍ୟବିହାରର ୧୮ ନମ୍ବର ୱାର୍ଡ ଓ ଗଜପତି ନଗର ୧୨ ନମ୍ବର ୱାର୍ଡ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଛି । ପ୍ରତି ସ୍ଥାନରୁ ଏକାଧିକ ସଂକ୍ରମିତ ଚିହ୍ନଟ ପରେ ସଂକ୍ରମଣକୁ ରୋକିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ସମ୍ପୃକ୍ତ ଅଞ୍ଚଳର ଲୋକଙ୍କୁ ବିଏମସି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବ । ପୂର୍ବରୁ ଅର୍ଥାତ ବୁଧବାର ୧୦ଟି ଓ ଗୁରୁବାର ୪ଟି ଅଞ୍ଚଳରେ ବିଏମସି ପକ୍ଷରୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା । ଫଳରେ ୩ ଦିନରେ ବିଏମସିରେ କଣ୍ଟେନମେଣ୍ଟ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି ।
ବିଏମସିର ସୂଚନା ଅନୁସାରେ, ଶୁକ୍ରବାର ଦିନ ୬୩୮ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ବିଏମସି ଅଞ୍ଚଳରେ ମୋଟ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୨୫ ହଜାର ୪୯୨କୁ ବୃଦ୍ଧି ପାଇଛି । କୋଭିଡରୁ ୧ ଲକ୍ଷ ୨୨ ହଜାର ୪୮୧ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ୧୮୮୭ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । କୋଭିଡରେ ୧୧୦୩ ଜଣ ପ୍ରାଣ ହରାଇଛନ୍ତି ।