ଗଣଦୁଷ୍କର୍ମକାରୀଙ୍କୁ ଘଣ୍ଟ ଘୋଡାଉଛି ପୋଲିସ: ବିଜେପି ମହିଳା ମୋର୍ଚ୍ଚା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗନ୍ ପଏଣ୍ଟରେ ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ଅଭିଯୁକ୍ତଙ୍କୁ ସରକାର ସୁରକ୍ଷା ଦେଉଥିବା ଅଭିଯୋଗ କଲା ବିଜେପି ମହିଳା ମୋର୍ଚ୍ଚା । ଐଶ୍ବର୍ଯ୍ୟା ବିଶ୍ବାଳଙ୍କ ନେତୃତ୍ବରେ ପୀଡ଼ିତାଙ୍କୁ ବିଜେପି ପ୍ରତିନିଧି ଦଳ ଭେଟିବା ପରେ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ଗତ ୩୧ ଡିସେମ୍ବରରେ ଜୟପୁର ଯାଇ ପୀଡ଼ିତାଙ୍କୁ ଭେଟିଥିଲା ୪ ଜଣିଆ ବିଜେପି ପ୍ରତିନିଧି ଦଳ। ୨୪ ଡିସେମ୍ବରରେ ସ୍ଵାମୀଙ୍କୁ ଗନ୍ ପଏଣ୍ଟରେ ରଖି ଜଣେ ମହିଳା ଗଣ ଦୁଷ୍କର୍ମର ଶୀକାର ହୋଇଥିଲେ ।
ଏହି ଘଟଣାରେ ଅଭିଯୁକ୍ତ ଲାଲ ବାହାଦୁର ଆଉ ମୀନ ବାରିକ ରାଜନୈତିକ ଦଳ ସହ ଜଡିତ। ତାଙ୍କ ନାଁରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଛି । କିନ୍ତୁ ତାଙ୍କୁ ସୁରକ୍ଷା ଦିଆଯାଉଛି । ବିଜେଡ଼ି ଏହି ଘଟଣାକୁ ଚାପିଦେବାକୁ ଉଦ୍ୟମ କରୁଛି । ପ୍ରମାଣ ନଷ୍ଟ କରିବାକୁ ଜାଣିଶୁଣି ଗିରଫ ବିଳମ୍ବ କରୁଛନ୍ତି । ୩୦ରେ କୋରାପୁଟ ବାସିନ୍ଦା ବନ୍ଦ କରିଥିଲେ। ଜୟପୁରର ଆଇନଶୃଙ୍ଖଳା ବିଗିଡିଛି । ପୁରା ରାଜ୍ୟରେ ମହିଳା ବିରୋଧୀ ଅପରାଧ ବଢିଛି । ତେଣୁ ଶୀଘ୍ର ଅଭିଯୁକ୍ତ ଗିରଫ ହୁଅନ୍ତୁ ଆଉ ପୀଡ଼ିତାଙ୍କୁ ପୋଲିସ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ବିଜେପି ମହିଳା ମୋର୍ଚ୍ଚା ଚେତାବନୀ ଦେଇଛି ।