ହତ୍ୟାରୁ ବର୍ଷ ଆରମ୍ଭ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନୂଆବର୍ଷରେ ହତ୍ୟାକାଣ୍ଡରୁ ଖୋଲିଛି ଭୁବନେଶ୍ବରରେ ଅପରାଧ ଡାଏରୀ । ଏୟାରଫିଲ୍ଡ ଥାନା ସୁନ୍ଦରପଦାରେ ନିର୍ମମ ହତ୍ୟାକାଣ୍ଡ । କାରଣ ଅସ୍ପଷ୍ଟ ଥିବା ବେଳେ ମୃତକ ହେଲେ ଦିପୁ ରାଉତ । ଏୟାରଫିଲ୍ଡ ଥାନା ପୋଲିସର ତଦନ୍ତ ଜାରି ରହିଛି । ସୁନ୍ଦରପଦା ନୂଆସାହିରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ନୂଆ ସାହି ଅଞ୍ଚଳର କିଛି ଯୁବକ ନୂଆବର୍ଷ ଭୋଜି କରୁଥିଲେ । ସେହି ସମୟରେ କପିଳେଶ୍ବର ଅଞ୍ଚଳର କିଛି ଯୁବକ ଆସି ନିଶାସକ୍ତ ଅବସ୍ଥାରେ ପାଟିତୁଣ୍ଡ କରିଥିଲେ । ପରେ ପରିସ୍ଥିତି ସାମାନ୍ୟ ଶାନ୍ତ ପଡିଥିଲା । ହେଲେ ହଠାତ କପିଳେଶ୍ଵର ଅଞ୍ଚଳର କିଛି ଯୁବକ ଅତର୍କିତ ଭାବେ ଆସି ଖଣ୍ଡାରେ ଆକ୍ରମଣ କରିଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଦିପୁ ରାଉତ ନାମକ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଖବରପାଇ ଘଟଣାସ୍ଥଳରେ ଏୟାରଫିଲ୍ଡ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ସେହିପରି ମଞ୍ଚେଶ୍ବର ଚକେଇଶିଆଣି ଗାଙ୍ଗୁଆ ନାଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପରିଚୟ ମିଳିପାରିନି । ଗତକାଲି ବିଲମ୍ବିତ ରାତିରେ ଘଟିଛି ଘଟଣା । ଅଗ୍ନିଶମ ବାହିନୀ ସହାୟତାରେ ଉଦ୍ଧାର କଲା ପୋଲିସ । ନାଳ ଭିତରେ ସ୍କୁଟି ମଧ୍ୟ ପଡିଥିଲା । ମଞ୍ଚେଶ୍ବର ଥାନା ପୋଲିସ ମୃତଦେହ ଜବତ କରି ତଦନ୍ତ ଜାରି ରିହଛି ।

Leave a comment