୧୫ ବର୍ଷରେ କମିଶନରେଟ ପୋଲିସ : କରୋନା ପାଇଁ ନିରାଡାମ୍ବରରେ ପାଳିବ ଜନ୍ମଦିନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କମିଶନରେଟ୍‌ ପୋଲିସ୍ ବ୍ୟବସ୍ଥା ୨୦୦୮ ଜାନୁଆରୀ ୧ରେ ଟୁଇନ୍‌ ସିଟିରେ ଲାଗୁ ହୋଇଥିଲା । କଟକ ଓ ଭୁବନେଶ୍ୱରର ଆଇନଶୃଙ୍ଖଳା ବ୍ୟବସ୍ଥା ସଜାଡ଼ିବା ପାଇଁ ଆରମ୍ଭ ହୋଇଥିବା ବ୍ୟବସ୍ଥା ୨୦୨୧ ଜାନୁଆରୀରେ ୧ ରେ ୧୪ ବର୍ଷ ପୂରି ଏବେ ୧୫ ବର୍ଷରେ ପାଦ ଥାପିବ । କରୋନା ପାଇଁ ଏଥର ନିରାଡ଼ମ୍ବର ସହ ଜନ୍ମଦିନ ପାଳିବ କମିଶରେଟ୍‌ ପୋଲିସ୍‌ । କୌଣସି ବଡ଼ ଧରଣର କାର୍ଯ୍ୟକ୍ରମ ହେବ ନାହିଁ ବୋଲି ଜଣାପଡ଼ିଛି ।

ଏହି ୧୫ ବର୍ଷ ଭିତରେ ଅନେକ ସମସ୍ୟା ସତ୍ତେ୍ୱ ଟୁଇନ୍‌ ସିଟରେ କମିଶନରେଟ୍‌ ପୋଲିସ ଲୋକଙ୍କୁ ସେବା ଯୋଗାଇ ଆସିଛି । ସହାୟତା ଆପ୍‌, ବରିଷ୍ଠ ନାଗରିକ ସେଲ୍‌, ବସ୍ତିକୁ ଚାଲ, ବସ୍ତି ମିତ୍ର, ମଧ୍ୟମ ଭଳି ଅନେକ ସେବା ଉପଲବ୍ଧ ହୋଇଛି । ଅପରାଧୀଙ୍କୁ ସାବାଡ୍‌ କରିବା କରିବା ପାଇଁ ସ୍ପେଶାଲ ସ୍କ୍ୱାଡ୍‌ ଓ କୁଇକ୍‌ ଆକ୍ସନ୍‌ ଟିମ୍‌ ନିୟୋଜିତ କରାଯାଇଛି । ଏବେ ଯୋଡ଼ି ହେବାକୁ ଯାଉଛି ସ୍ୱତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା । ଟୁଇନ୍‌ ସିଟିରେ ୩୬ଟି ଥାନାକୁ ନେଇ ୨୦୦୮ରେ ଆରମ୍ଭ ହୋଇଥିଲା କମିଶନରେଟ୍‌ ପୋଲିସ୍‌ ।

ଏବେ ସେଥିରେ ଯୋଡ଼ି ହୋଇଛି ଆଉ ୧୨ଟି ଥାନା । ବର୍ତ୍ତମାନ ଟୁଇନ୍‌ ସିଟିରେ ଥାନା ସଂଖ୍ୟା ୫୨ଟି। ଖାଲି ସେତିକି ନୁହେଁ ଇତିମଧ୍ୟରେ ଅନେକ ଆଇନଗତ କ୍ଷମତା ହାସଲ କରିଛି କମିଶନ୍‌ରେଟ୍‌ ପୋଲିସ୍‌ । ମାଜିଷ୍ଟ୍ରେଟ୍‌ କ୍ଷମତା ମଧ୍ୟ ପାଇଛି । ସହରବାସୀଙ୍କୁ ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇ ‘ଉଇ କେୟାର ଉଇ ଡେୟାର’ ଅର୍ଥାତ ‘ଆମେ ସାହସୀ ଆମେ ଯତ୍ନବାନ’ ବୋଲି କମିଶନରେଟ୍‌ ପୋଲିସ୍‌ ନିଜ ପରିଚୟ ରଖିଥିଲା । କମିଶନରେଟ୍‌ ପୋଲିସ୍‌ ମୁଖ୍ୟାଳୟ ନାମ ବଦଳି ଏବେ ‘ପୋଲିସ ସେବା ଭବନ ହୋଇଛି । ମାନବ ସମ୍ବଳ ସମସ୍ୟା ଥାଇ ମଧ୍ୟ ଲୋକଙ୍କୁ ସେବା ଦେବାରେ କମିଶନରେଟ୍‌ ପୋଲିସ୍‌ ନିଜକୁ ଉତ୍ସର୍ଗ କରିଛି ।

Leave a comment