“ପଢ଼େ ଭାରତ’ ଅଭିଯାନର ଶୁଭାରମ୍ଭ କରିବେ ଧର୍ମେନ୍ଦ୍ର ପ୍ରଧାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନୂଆବର୍ଷ ପ୍ରଥମ ଦିନ ଅର୍ଥାତ ଶନିବାର ଦିନ ୧୦୦ ଦିବସୀୟ ପଠନ ଅଭିଯାନ “ପଢ଼େ ଭାରତ’ର ଶୁଭାରମ୍ଭ କରିବେ କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅଭିଯାନ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ସ୍ତରରେ ଉନ୍ନତି ପାଇଁ ମହତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ନବାନ୍ମେଷ, ମହତ୍ୱପୂର୍ଣ୍ଣ ଚିନ୍ତାଧାରା, ଶବ୍ଦାବଳୀର ବିକାଶ ଏବଂ ମୌଖିକ ଓ ଲିଖିତ ମାଧ୍ୟମରେ ଅଭିବ୍ୟକ୍ତି ବ୍ୟକ୍ତ କରିବା କ୍ଷମତାର ବିକାଶ କରିଥାଏ । ଏହା ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପରିବେଶ ଏବଂ ବାସ୍ତବିକ ଜୀବନର ସ୍ଥିତି ସହିତ ଯୋଡ଼ିବାରେ ସହାୟକ ହେବ ।

ବାଲ୍‌ ବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏହି ଅଭିଯାନର ଅଂଶ ହେବେ । ପଠନ ଅଭିଯାନ ଜାନୁଆରୀ ୧ରୁ ଆରମ୍ଭ ହୋଇ ଏପ୍ରିଲ୍‌ ୧୦ ତାରିଖ (୧୦୦ ଦିନ) ପର୍ଯ୍ୟନ୍ତ ଚାଲିବ । ପଠନ ଅଭିଯାନର ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ଶୈକ୍ଷିକ ପ୍ରଶାସକଙ୍କ ସମେତ ରାଷ୍ଟ୍ରୀୟ ଏବଂ ରାଜ୍ୟ ସ୍ତରରେ ସମସ୍ତ ହିତାଧିକାରୀମାନଙ୍କର ଭାଗିଦାରୀତା ହାସଲ କରିବା ।

ବୟସ ଅନୁସାରେ ସାପ୍ତାହିକ କ୍ୟାଲେଣ୍ଡର ସହିତ ପଠନ ଅଭିଯାନ ଉପରେ ଏକ ବ୍ୟାପକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଯାଇଛି । କାର୍ଯ୍ୟକଳାପଗୁଡ଼ିକ ଶିକ୍ଷକଙ୍କ ସହାୟତାରେ ଅଥବା ମାତାପିତା, ଭାଇ-ଭଉଣୀ କିମ୍ବା ପରିବାରର ଅନ୍ୟ ସଦସ୍ୟମାନଙ୍କର ସାହାଯ୍ୟ ମାଧ୍ୟମରେ ସମ୍ପନ୍ନ କରାଯାଇପାରିବ । ଅଭିଯାନକୁ ପ୍ରଭାବଶାଳୀ କରିବା ନିମନ୍ତେ, ଡିଜାଇନ୍‌ କରାଯାଇଥିବା କାର୍ଯ୍ୟକଳାପକୁ ସରଳ ଏବଂ ଆନନ୍ଦଦାୟକ କରାଯାଇଛି, ଫଳରେ ଘରେ ମଧ୍ୟ ଉପଲବ୍ଧ ହେଉଥିବା ସମ୍ବଳ ସହିତ ଏବଂ ସ୍କୁଲ୍‌ ବନ୍ଦ ହେବା ସ୍ଥିତିରେ ମାତା-ପିତା, ସମବର୍ଗୀ ଏବଂ ଭାଇ-ଭଉଣୀଙ୍କ ସହାୟତା ନେଇ ଏହାକୁ ସହଜରେ ସମ୍ପାଦନ କରାଯାଇପାରିବ ।

Leave a comment