ଜାଡ଼ରୁ ମିଳିବ ସାମାନ୍ୟ ତ୍ରାହି
ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଆହୁରି ବଢ଼ିବ । ୨୯ ତାରିଖ ଯାଏ ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା କ୍ରମଶଃ ବଢ଼ି ଚାଲିବ । ଯାହାଫଳରେ ଜାରି ରହିଥିବା ପ୍ରବଳ ଶୀତ ଲହରୀରୁ ମିଳିବ ସାମାନ୍ୟ ତ୍ରାହି। ୨୯ରେ ସୁନ୍ଦରଗଡ଼ ଓ ସଂଲଗ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।
ସେହିପରି ଆସନ୍ତା ୨୮ରୁ ରାଜ୍ୟରେ ପାଗ ବଦଳିବ । ଉତ୍ତରା ପବନ ବଦଳରେ ରାଜ୍ୟକୁ ସାମୁଦ୍ରିକ ପବନ ବହିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ୨୮ରୁ ୩୦ ଯାଏ ପାଗ ମେଘୁଆ ରହିବ । ୨୯ରୁ ସୁନ୍ଦରଗଡ଼ ଓ ପାଖ ଜିଲ୍ଲାରେ ବର୍ଷା ହୋଇପାରେ । କିନ୍ତୁ ଉପକୂଳ ଓଡ଼ିଶାରେ ପାଗ ଶୁଖିଲା ରହିବ । ଆସନ୍ତା ସପ୍ତାହ ଯାଏ ଏଠାରେ ଖରାଟିଆ ପାଗ ରହିବ । ଏଣୁ ନୂଆ ବର୍ଷରେ ପାଗ ଅନୁକୂଳ ଓ ଆରାମଦାୟକ ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।
ସେପଟେ ୨୯ ତାରିଖରୁ ରାତି ତାପମାତ୍ରା ପ୍ରାୟ ୨ ଡିଗ୍ରୀ ପର୍ଯ୍ୟନ୍ତ କମିବ । ଶନିବାର ରାତିରେ ସାମାନ୍ୟ କୁହୁଡ଼ି ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି । ୨୭, ୨୮ ଓ ୨୯ ତାରିଖ ରାଜ୍ୟର ପଶ୍ଚିମ ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରାତି ତାପମାତ୍ରା ବଢିଥିଲେ ବି ଶୀତ ଲହରୀ ଜାରି ରହିଛି । ଶନିବାର ସୁନ୍ଦରଗଡ଼ରେ ସବୁଠୁ କମ୍ ବା ପାରଦ ୮ଡିଗ୍ରୀ ରହିଛି । ଦାରିଙ୍ଗିବାଡ଼ି ଓ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ସେଲସିୟସ୍ ରହିଛି ।