ଫ୍ଲିପକାର୍ଟ ସିଇଓଙ୍କୁ ଆୟକର ବିଭାଗର ନୋଟିସ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଫ୍ଲିପକାର୍ଟର ଦୁଇ ପ୍ରତିଷ୍ଠାତା ସଚିନ ବନସଲ୍ ଓ ବିନି ବନସଲ୍ଙ୍କୁ ଆୟକର ବିଭାଗ ନୋଟିସ ପଠାଇଛି। ଓ୍ବାଲ୍ମାର୍ଟ ସହ ଡିଲ୍କୁ ନେଇ ଫ୍ଲିପ୍କାର୍ଟ ସିଇଓଙ୍କୁ ଆୟକର(ଆଇଟି) ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ଫ୍ଲିପ୍କାର୍ଟକୁ ଓ୍ବାଲମାର୍ଟ ଇଣ୍ଟରନ୍ୟାଶନାଲକୁ ବିକ୍ରି କରିବା ଦ୍ୱାରା ସେମାନେ କେତେ ଆୟ କରିଛନ୍ତି ଏବଂ ଏଥିରେ ଆର୍ଥିକ ଲାଭର ପରିମାଣ କେତେ ଜଣାଇବାକୁ ଆୟକର ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗ ପକ୍ଷରୁ ଦୁଇ ପ୍ରତିଷ୍ଠାତାଙ୍କ ସମେତ ଏହାର ଅଂଶଧନ ରଖିଥିବା ଅନ୍ୟ ୩୫ ଅଂଶୀଦାରଙ୍କୁ ମଧ୍ୟ ନୋଟିସ ଜାରି କରାଯାଇ ସେମାନଙ୍କଠାରୁ ଆୟର ବିବରଣୀ ମଗାଯାଇଛି ।
ସୂଚନା ଅନୁଯାୟୀ, ଚଳିତ ବର୍ଷ ମେ’ ୯ରେ ବିକ୍ରିକୁ ନେଇ ଓ୍ବାଲମାର୍ଟ ସହ ଫ୍ଲିପ୍କାର୍ଟର ଚୁକ୍ତି ହୋଇଥିଲା । ତଦନୁଯାୟୀ ଫ୍ଲିପ୍କାର୍ଟର ୭୭ ପ୍ରତିଷ୍ଠତ ଅଂଶଧନକୁ ଓ୍ବାଲମାର୍ଟ ପ୍ରାୟ ୧୬ ବିଲିୟନ ଡଲାରରେ କିଣିଛି । ଏହି କିଣାବିକା ପରେ ଆଇଟି ବିଭାଗ ପକ୍ଷରୁ ଓ୍ବାଲମାର୍ଟକୁ ନୋଟିସ ପଠାଯାଇ ଫ୍ଲିପ୍କାର୍ଟର ୪୬ ଶେୟାରଧାରକଙ୍କ ତାଲିକା ମାଗିଥିଲା ।