ଖୋର୍ଦ୍ଧା ଜିଲ୍ଲାରେ BSKY ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଉପକୃତ ହେବେ ପ୍ରାୟ ୧୬ଲକ୍ଷରୁ ଅଧିକ ହିତାଧିକାରୀ

0

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ବେଗୁନିଆ ମିନି ଷ୍ଟାଡିୟମରେ ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି । ଏଥିରେ ଜିଲ୍ଲାର ପ୍ରାୟ ୧୬ଲକ୍ଷରୁ ଅଧିକ ହିତାଧିକାରୀ ଉପକୃତ ହେବେ ।

ସୋମବାର ଦିନ ୧୨ଟା ୧୦ମିନିଟ୍ ସମୟରେ ହେଲିକପ୍ଟର ଯୋଗେ ବେଗୁନିଆ ମିନି ଷ୍ଟାଡିୟମର ଅସ୍ଥାୟୀ ହେଲିପ୍ୟାଡ଼ରେ ଅବତରଣ କରି ସେଠାରେ ଆୟୋଜିତ ସଭାରେ ଯୋଗ ଦେଇଥିଲେ । ସେଠାରେ ବିଏସକେଓ୍ବାଇ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥି ସହିତ ଡିଜିଟାଲ ମାଧ୍ୟମରେ ୯୮୭.୯୭ କୋଟି ଟଙ୍କାରେ ୫୩୨ଟି ପ୍ରକଳ୍ପ କାର୍ଯ୍ୟକୁ ଉଦଘାଟନ କରିବା ସହ ୯୦୨.୪୪କୋଟି ଟଙ୍କାରେ ୪୦୬ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁ ସ୍ବାସ୍ଥ୍ୟ କାର୍ଡ ଗରିବଙ୍କ ଦୁଃଖ ଦୂର କରିବାରେ ସହାୟକ ହେବ । ମୋ ପାଇଁ ପ୍ରତି ଜୀବନ ମୂଲ୍ୟବାନ ସେ ଚାଷୀ ହେଉକି ରିକ୍ସା ଚାଳକ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ତୁଷାରକାନ୍ତି ବେହେରା ଯୋଗଦେଇଥିଲେ ।

Leave a comment