ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ୫ ମଧ୍ୟ ଏସିଆ ଦେଶର ରାଷ୍ଟ୍ରମୁଖ୍ୟ ! କୁଟନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବ ଭାରତ
ନୂଆଦିଲ୍ଲୀ,୧୨/୧୨: ଗଣତନ୍ତ୍ର ଦିବସ ଉପଲକ୍ଷେ ଅତିଥି ହେବେ ୫ ଦେଶର ରାଷ୍ଟ୍ରପତି । ମଧ୍ୟ ଏସିଆର କାଜାକିସ୍ତାନ, କିର୍ଗିଜ ଗଣରାଜ୍ୟ, ତାଜାକିସ୍ତାନ, ତୁର୍କମେନିସ୍ତାନ ଓ ଉଜବେକିସ୍ତାନର ରାଷ୍ଟ୍ରପତି ଆସନ୍ତା ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବା ସମ୍ଭାବନା ରହିଛି । ଭାରତ ଚୀନ ସହ ବଢୁଥିବା ତିକ୍ତତା ଓ ଆଫାଗାନିସ୍ତାନରେ ଚାଲିଥିବା ତାଲିବାନ ଶାସନ ମଧ୍ୟରେ ଏହି ୫ ଦେଶର ନେତାଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରି ନିଜ ଦବଦବା ଜାହିର କରିବାକୁ ଯୋଜନା କରୁଛି ।
ରିପୋର୍ଟ ଅନୁସାରେ, କାଜାକିସ୍ତାନ, କିର୍ଗିଜ ଗଣରାଜ୍ୟ, ତାଜାକିସ୍ତାନ, ତୁର୍କମେନିସ୍ତାନ ଓ ଉଜବେକିସ୍ତାନର ରାଷ୍ଟ୍ରମୁଖ୍ୟଙ୍କ ଭାରତ ନିମନ୍ତ୍ରଣ ପାଇଁ ୟୋଜନା ପ୍ରସ୍ତୁତ ହେଉଛି । ଏହାଦ୍ୱାରା ମଧ୍ୟ ଏସିଆ ଦେଶ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇପାରିବ । ବିକାଶ ବ୍ୟତୀତ, ସୁରକ୍ଷା, ନିବେଶ ଓ ଆତଙ୍କବାଦ ପ୍ରସଙ୍ଗ ଉପରେ ଭାରତ ଜୋର୍ ଦେଇପାରେ ।
ଏହାପୂର୍ବରୁ ଆସନ୍ତା ୧୮ ଓ ୧୯ ତାରିଖରେ ଭାରତ ସହ ମଧ୍ୟ ଏସିଆ ଦେଶର ବୈଦେଶିକ ମନ୍ତ୍ରୀମାନେ ଆଲୋଚନା କରିବେ । ବହୁ ପୂର୍ବରୁ ଗଣତନ୍ତ୍ର ଦିବସ ପରେଡ ପାଇଁ ସେପରି କିଛି ସ୍ଥାନ ନତିଲା । ୧୯୫୫ରେ ରାଜପଥ ତିଆରି ହେଲା । ସେହି ଦିନଠୁ ଗଣତନ୍ତ୍ର ଦିବସରେ ଅନ୍ୟ କୌଣସି ଦେଶର ରାଷ୍ଟ୍ରମୁଖ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦିଅନ୍ତି ।
ଗତବର୍ଷ ଗଣତନ୍ତ୍ର ଦିବସରେ ବ୍ରାଜିଲ ରାଷ୍ଟ୍ରପତି ଜେଆର ମାସିୟସ ବୋଲସୋନାରୋ ଯୋଗ ଦେଇଥିଲେ । ସେ ୪ ଦିନିଆ ଗସ୍ତରେ ଭାରତ ଆସିଥିଲେ । ଏହା ମଧ୍ୟରେ ଭାରତ ଓ ବ୍ରାଜିଲ ମଧ୍ୟରେ ୪ଟି ବୁଝାବଣା ସ୍ୱାକ୍ଷରିତ ହୋଇଥିଲା । ୧୯୯୬ ଓ ୨୦୦୪ରେ ମଧ୍ୟ ବ୍ରାଜିଲ ରାଷ୍ଟ୍ରପତି ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ରହିଥିଲେ ।