୬ ମହିଳା ସାଂସଦଙ୍କ ସହ ଫଟୋ ସେୟାର କଲେ ଥରୁର, କହିଲେ- କିଏ କହୁଛି କାମ କରିବା ପାଇଁ ଲୋକସଭା ଆକର୍ଷଣୀୟ ସ୍ଥାନ ନୁହେଁ

0

ସଂସଦରେ ଶୀତକାଳୀନ ଅଧିବେଶନ ସୋମବାରଠୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ କୃଷି ଆଇନ ପ୍ରତ୍ୟାହାର ବିଲକୁ ନେଇ ଗୃହ ସରଗରମ ଥିବା ବେଳେ ଅନ୍ୟପଟେ ସାଂସଦଙ୍କ ଜବରଦସ୍ତ ସିନ୍‌ ସାମ୍ନାକୁ ଆସିଛି। ସବୁ ବେଳେ ରଙ୍ଗିଲା ଅନ୍ଦାଜରେ ରହିବାକୁ ଭଲ ପାଉଥିବା କଂଗ୍ରେସ ସାଂସଦ ଶଶି ଥରୁର ସୋମବାର ଏମିତି ଏକ ଟ୍ବିଟ୍‌ କରିଛନ୍ତି ଯେ ତାକୁ ନେଇ ଟ୍ବିଟରରେ ପ୍ରତିକ୍ରିୟାର ବନ୍ୟା ଦେଖିବାକୁ ମିଳିଛି। ଫଟୋ ସେୟାର କରି ଥରୁରୁ ଲେଖିଛନ୍ତି, ‘କିଏ କହୁଛି କାର୍ଯ୍ୟ କରିବା ପାଇଁ ଲୋକସଭା ଆକର୍ଷଣୀୟ ସ୍ଥାନ ନୁହେଁ ? ଆଜି ସକାଳେ ନିଜର ୬ ଜଣ ସାଥି ସାଂସଦଙ୍କ ସହ।’

ଥରୁର ସେୟାର କରିଥିବା ଫଟୋରେ ୬ ଜଣ ମହିଳା ସାଂସଦ ଅଛନ୍ତି। ସେମାନଙ୍କ ମଧ୍ୟରେ ଏନସିପି ସାଂସଦ ସୁପ୍ରିୟା ସୁଲେ, କଂଗ୍ରେସ ସାଂସଦ ପରନୀତ କୌର, ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀ, ଟିଏମସି ସାଂସଦ ନୁସରତ ଜହାଁ, କଂଗ୍ରେସ ସାଂସଦ ଜ୍ୟୋଥିମଣୀ ଥିବା ଦେଖିବାକୁ ମିଳିଛି। ଫଟୋରେ ଅଧିକରୁ ଅଧିକ ପ୍ରତିକ୍ରିୟା ଆସିବା ପଛରେ କାରଣ ହେଉଛି, ଫଟୋରେ ଥରୁରଙ୍କୁ ଛାଡ଼ି ଦେଲେ ବାକି ସାଂସଦ ମହିଳା ।
ଏହାକୁ ନେଇ ଅନେକ ଟ୍ବିଟର ୟୁଜର୍ସ କଂଗ୍ରେସ ନେତାଙ୍କୁ ସମାଲୋଚନା କରିଥିବା ​‌ବେଳେ ଅନ୍ୟମାନେ ସାଂସଦଙ୍କ ସମର୍ଥନରେ ଆସିଛନ୍ତି। ଏହି ଫଟୋ ଉପରେ କମେଣ୍ଟ କରି ଭେଙ୍କଟେଶ ଲେଖିଛନ୍ତି ,‘ବହୁତ ଭଲ ଫଟୋ ! ସେଥିପାଇଁ ଆମେ ତ୍ରିବେନ୍ଦ୍ରମବାସୀ ଆପଣଙ୍କୁ ଭୋଟ ଦେଇଥିଲୁ! ନେହେରୁବାଦୀ ବିଚାରଧାରରେ ବଞ୍ଚିଛନ୍ତି!’ ରୂପଲେଖା ଲେଖିଛନ୍ତି, ‘କଣ ଆପଣ କେବଳ ମହିଳାଙ୍କ ଆଡ଼କୁ ଆକର୍ଷିତ ହେଉଛନ୍ତି ? ଆପଣଙ୍କୁ ଲାଗୁନାହିଁ ଯେ ଆପଣ ଆପଣଙ୍କ ନିର୍ବାଚନୀ ମଣ୍ଡଳର ଦାୟିତ୍ବ ପାଇଁ କାର୍ଯ୍ୟସ୍ଥଳକୁ ଆକର୍ଷିତ ହେଉଛନ୍ତି ?’

ଅନ୍ୟ ଜଣେ ୟୁଜରଙ୍କ ଅନୁସାରେ, ଯେକୌଣସି କାର୍ଯ୍ୟାଳୟରେ ନିଜର ସହକର୍ମୀଙ୍କ ସହ ଫଟୋ ସେୟାର କରିବା ଭୁଲ ନୁହେଁ। ଏହାକୁ ନେଇ ଟ୍ରୋଲ୍‌ କରିବାର କୌଣସି ଆବଶ୍ୟକତା ନାହିଁ। ଅନ୍ୟପଟେ ଆଜି ସଂସଦରେ କୃଷି ଆଇନ୍‌ ପ୍ରତ୍ୟାହାର ବିଧେୟକ ୨୦୨୧କୁ ବିନା ଚର୍ଚ୍ଚାରେ ମଞ୍ଜୁରୀ ଦିଆଯାଇଛି। ଯାହାକୁ ନେଇ କଂଗ୍ରେସ ସାଂସଦ ଗୃହରେ ହଙ୍ଗାମା କରିଛନ୍ତି । ଏହା ଉପରେ ଚର୍ଚ୍ଚା ପାଇଁ କଂଗ୍ରେସ ଦାବି କରିଛି ।

Leave a comment