ସାମ୍ବାଦିକଙ୍କୁ ମନା, ଦଲାଲଙ୍କ ପାଇଁ ଖୋଲା ସଚିବାଳୟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସଚିବାଳୟ ଭିତରକୁ ସାମ୍ବାଦିକ ମାନଙ୍କ ପ୍ରବେଶ ମନା। କୋରୋନା ଆଳରେ ବର୍ଷାଧିକ କାଳ ଏ ମନା ଜାରି ରହିଛି। ଏପରିକି ପୂର୍ବତନ ବିଧାୟକ, ସାଂସଦ, ବ୍ୟବସାୟ ପ୍ରତିଷ୍ଠାନର ପ୍ରତିନିଧି ମାନଙ୍କୁ ଏ ମନା ହୋଇଛି। ଯେଉଁ ଘରୋଇ ସଂସ୍ଥାର କର୍ମଚାରୀଙ୍କୁ ସଚିବାଳୟର ଅନୁମତି ପତ୍ର ମିଳିଥିଲା, ପୁଲିସର କଟକଣା ପାଇଁ ସେମାନେ ମଧ୍ୟ ସଚିବାଳୟ ଭିତରକୁ ପ୍ରବେଶ ପାଇ ପାରୁ ନାହାନ୍ତି। ସଚିବାଳୟର ପୂର୍ବତନ କର୍ମଚାରୀଙ୍କ ପାଇଁ ମଧ୍ୟ ଏ କଟକଣା ଲାଗୁ ହୋଇଛି। କିନ୍ତୁ, ଜନୈକ ବ୍ୟକ୍ତି ପୁଲିସ ଆଖିରେ ଧୂଳି ଦେଇ ନିୟମିତ ସଚିବାଳୟ ଭିତରକୁ ପ୍ରବେଶ କରି ବିଭିନ୍ନ ବିଭାଗରେ କାମ କରାଇବାରେ ସଫଳ ହେଉଛନ୍ତି।
ଏ ବ୍ୟକ୍ତି ଜଣଙ୍କ ନିଜକୁ ସେଲର ଜଣେ ଯନ୍ତ୍ରୀ ବୋଲି ପରିଚୟ ଦିଅନ୍ତି। ଖାଲି ସେତିକି ନୁହେଁ, ସେ ଭୁବନେଶ୍ଵରର ପୂର୍ବତନ ସାଂସଦଙ୍କ ଭଣଜା ଓ ଆଜିର ରାଜସ୍ବ ବିଭାଗ ପ୍ରମୁଖ ସଚିବଙ୍କ ପରିଚିତ ବୋଲି କୁହନ୍ତି। ଏ ବ୍ୟକ୍ତି ଭୁବନେଶ୍ୱରର ପୁରୁଣା ବଜାର ଅଞ୍ଚଳରେ ରୁହନ୍ତି। ତାଙ୍କ ଡାକ ନାମ ମନୁ ମଲ୍ଲିକ। ତାଙ୍କୁ ଦେଖି ଥିବା ଲୋକଙ୍କ କହିବା ଅନୁସାରେ ସେ ପ୍ରକୃତରେ ଯନ୍ତ୍ରୀ ନୁହନ୍ତି। ସେ କେବଳ ବିଭାଗ ବିଭାଗ ବୁଲି ଦଲାଲି କରନ୍ତି। ସେ କାହାର ବଦଳୀ ତ କାହାର ବ୍ୟକ୍ତିଗତ ସରକାରୀ କାମର ଠିକା ନିଅନ୍ତି। ଏପରି ଏକ ବ୍ୟକ୍ତି ସଚିବାଳୟ ଭିତରକୁ କିପରି କଟକଣା ଭିତରେ ନିୟମିତ ପ୍ରବେଶ କରିପାରୁଛନ୍ତି, ସେ ନେଇ ପ୍ରଶ୍ନ ଉଠିଛି।