କୋଟିପତି ଡ୍ରାଇଭରଙ୍କ ଘରେ ଚଢ଼ାଉ , ୭୨ ଲକ୍ଷ ଟଙ୍କାର ବିଳାସପୂର୍ଣ୍ଣ ଘର , ୪ ଦାମି କାର ଜବତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତହସିଲଦାରଙ୍କ ଗାଡ଼ିଚାଳକ ଭାବେ ନିଯୁକ୍ତ ହୋଇଥିଲେ ମଧ୍ୟ ସେ ଜଣେ କୋଟିପତି । ସେ ହେଲେ ଜଗତ୍‌ସିଂହପୁର ଜିଲ୍ଲା କୁଜଙ୍ଗ ତହସିଲଦାରଙ୍କ ଡ୍ରାଇଭର ଶୈଶବ ମଣ୍ଡଳ । ଗୁରୁବାର ଭିଜିଲାନ୍ସ ପକ୍ଷରୁ ତାଙ୍କ ଘରେ ଚଢାଉ କରାଯିବା ପରେ ତାଙ୍କର ୭୨ ଲକ୍ଷ ଟଙ୍କାର ବିଳାସପୂର୍ଣ୍ଣ ଘର, ୪ ଦାମି କାର, ୩ ଦାମି ବାଇକ ସମେତ ସୁନା ଅଳଙ୍କାର, ଟଙ୍କା ଓ ଅନ୍ୟାନ୍ୟ ସମ୍ପତ୍ତି ରହିଥିବା ଜଣାପଡ଼ିଛି । ଶୈଶବଙ୍କ ଘର ପାରାଦୀପର ବିଜୟଚନ୍ଦ୍ରପୁର ତାରିଣୀ ଗଡ଼ାରେ । କୁଜଙ୍ଗରେ ଥିବା ତାଙ୍କ ସରକାରୀ କ୍ୱାର୍ଟର୍ସ, କୁଜଙ୍ଗ ବ୍ଲକ ସିଜୁ ଗ୍ରାମରେ ଥିବା ପୈତୃକ ଘର ଓ ଶ୍ୱଶୁର ଘର ସମେତ ପାରାଦୀପ ତାରିଣୀଗଡାସ୍ଥିତ ଘରକୁ ମିଶାଇ ମୋଟ୍‌ ୪ ସ୍ଥାନରେ ଏକକାଳୀନ ଚଢାଉ ହୋଇଥିଲା । ତାରିଣୀଗଡ଼ାସ୍ଥିତ ତାଙ୍କ ତିନି ମହଲା ବିଶିଷ୍ଟ ଘରୁ ୬ ଲକ୍ଷ ୧୧ହଜାର ୨୨୦ ଟଙ୍କା ମୂଲ୍ୟର ସୁନାଗହଣା ଜବତ ହୋଇଛି । ଏଥିସହ ଶୈବଶବଙ୍କର ୧୦ ଲକ୍ଷ ୧୧ହଜାର ୮୧୦ ଟଙ୍କା ମୂଲ୍ୟର ଗୋଟିଏ ହ୍ୟୁଣ୍ଡାଇ କାର୍‌ ଥିବାବେଳେ ୩ ଲକ୍ଷ ଟଙ୍କା ମୂଲ୍ୟର ଗୋଟିଏ ମହିନ୍ଦ୍ରା ବୋଲେରୋ ଜିପ୍‌, ୧ ଲକ୍ଷ ୫୪ହଜାର ୫୦୦ ଟଙ୍କା ମୂଲ୍ୟର ୩ଟି ବାଇକ ରହିଛି । ସେହିପରି ବିଭିନ୍ନ ବ୍ୟାଙ୍କ ଜମା ଖାତାରେ ୧ ଲକ୍ଷ ୧୭ହଜାର ୨୨୯ ଟଙ୍କା ଥିବାବେଳେ ୧ ଲକ୍ଷ ଟଙ୍କାର ଫିକ୍ସଡ୍‌ ଡିପୋଜିଟକୁ ଭିଜିଲାନ୍ସ ଧରିଛି । ସେହିପରି ୨ଲକ୍ଷ ୫୦ ହଜାର ଟଙ୍କାର ବୀମା, ୭ ଲକ୍ଷ ୩୦ହଜାର ୬୯୪ ଟଙ୍କା ମୂଲ୍ୟର ଆସବାବପତ୍ର ଓ ନଗଦ ୧ ଲକ୍ଷ ୫୫ହଜାର ଟଙ୍କା ଭିଜିଲାନ୍ସ ଠାବ କରିଛି । ତାଙ୍କ ଘରର ମୂଲ୍ୟ ୭୨ ଲକ୍ଷ ୪୦ହଜାର ୪୦୦ ଟଙ୍କା ବୋଲି ଦର୍ଶାଯାଇଛି । ଏହିପରି ମୋଟ ୧ କୋଟି ୪ ଲକ୍ଷ ୨୦ହଜାର ୮୫୩ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଭିଜିଲାନ୍ସର ହସ୍ତଗତ ହୋଇଛି । ଏହି ଚଢାଉରେ ଭିଜିଲାନ୍ସ ଡିଏସ୍‌ପି ସୁଶାନ୍ତ କୁମାର ସେନ ଓ ଅନ୍ୟମାନେ ସାମିଲ ଥିଲେ ।

Leave a comment